ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ବିଧାନସଭା ଆସନ ହାତେଇବା ପାଇଁ ଶାସକ ବିଜେଡି ଏବଂ ବିଜେପି ମଧ୍ୟରେ ଚାଲିଛି ଜୋରଦାର କସରତ। ପଦ୍ମପୁରକୁ ହାତଛଡ଼ା କରିବାକୁ ଚାହୁଁନି ବିଜେଡି। ଅନେକ ନିର୍ବାଚନରେ ବିଜେଡି ସୁପ୍ରିମୋ ଭର୍ଚୁଆଲ ମୋଡରେ ପ୍ରଚାର କରିଥିବାବେଳେ ଆଜି ନିର୍ବାଚନ ପ୍ରଚାର ପାଇଁ ଓହ୍ଲାଇଛନ୍ତି ମଇଦାନକୁ।

ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ମାହୋଲ ସେତିକି ଗରମ ହେବାରେ ଲାଗିଛି। ପଦ୍ମପୁରରେ ରାଜନୈତିକ ପତିଆରା ପାଇଁ ଉଭୟ ଶାସକ ବିଜେଡି ଏବଂ ବିଜେପି ମଧ୍ୟରେ ଚାଲିଛି କସରତ। ପଦ୍ମପୁର ଆସନ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି ଦୁଇ ଦଳ। ଉଭୟ ବିଜେଡି ଏବଂ ପିଜେପିର ମାଳମାଳ ନେତାମନ୍ତ୍ରୀ ଡେରା ପକେଇଛନ୍ତି ପଦ୍ମପୁରରେ।

ପଦ୍ମପୁର ଆସନ ହାତଛଡ଼ା କରିବାକୁ ଚାହୁଁନି ବିଜେଡି

ପଦ୍ମପୁର ବିଧାନସଭା ଆସନ ହାତଛଡ଼ା କରିବାକୁ ଚାହୁଁନି ବିଜେଡି। ଏହି ଆସନ ଅକ୍ତିଆର କରିବାକୁ ବିଜେଡି ପ୍ରସ୍ତୁତ କରିଛି ନୂଆ ରଣନୀତି। ଧାମନଗର ଉପନିର୍ବାଚନ ପରାଜୟ ବିଜେଡିକୁ ଶକ୍ତ ଧକ୍କା ଦେଇଥିବାବେଳେ ଏହି ଆସନରେ ଯେପରି ଏହାର ପୁନରାବୃତ୍ତି ନହୁଏ, ତା’ର ଅଙ୍କକଷିଛି ଦଳ। ଆଗରୁ ଭର୍ଚୁଆଲ ମୋଡରେ ନିର୍ବାଚନ ପ୍ରଚାର କରୁଥିବା ବିଜେଡି ସୁପ୍ରିମ ଖୋଦ ଦଳୀୟ ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କ ଲାଗି ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଛନ୍ତି।

୨୦୨୩ରେ ପଦ୍ମପୁର ଜିଲ୍ଲା ହେବ: ମୁଖ୍ୟମନ୍ତ୍ରୀ

ପଦ୍ମପୁର ଉପନିର୍ବାଚନ ସମୟରେ ଏବେ ବଡ଼ ପ୍ରସଂଗ ହୋଇଛି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବା। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ପହଞ୍ଚିଥିଲେ ପଦ୍ମପୁରରେ। ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁରରେ ଆୟୋଜିତ ଦଳୀୟ ସଭାରେ ବିଜେଡି ସୁପ୍ରିମୋ ଯୋଗ ଦେଇ ବର୍ଷାଙ୍କୁ ଭୋଟ ଦେବାକୁ ପଦ୍ମପୁର ଭୋଟରଙ୍କୁ ଅପିଲ କରିଥିଲେ।

ଆସନ୍ତା ୨୦୨୩ ମସିହାରେ ପଦ୍ମପୁର ବାସୀଙ୍କ ଦୀର୍ଘ ଦିନର ସ୍ଵପ୍ନ ପୂରଣ ହେବାକୁ ଯାଉଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଦୀର୍ଘ ବର୍ଷରୁ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ଦାବି ହୋଇଆସୁଛି। ଆସନ୍ତା ବର୍ଷ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ କରାଯିବ ବୋଲି ପଦ୍ମପୁର ମାଟିରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପ୍ରଦ୍ମପୁର ଭୋଟରଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ରେଳମନ୍ତ୍ରୀଙ୍କ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଲେ ନବୀନ

କିଛି ଦିନ ତଳେ ପଦ୍ମପୁର ଉପନିର୍ବାଚନ ପ୍ରଚାର ପାଇଁ ଆସିଥିବା ୪ ଜଣ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବା କହିଥିଲେ। ଖାସ କରି ବର୍ଷ ବର୍ଷ ଧରି ପଦ୍ମପୁରକୁ ଅବହେଳା କରିଆସୁଥିବା କହିଥିଲେ। ଦପ୍ମପୁରରେ ରେଳ ଷ୍ଟେସନ କରିବାକୁ କେନ୍ଦ୍ର ପ୍ରସ୍ତୁତ ଥିବାବେଳେ ରାଜ୍ୟ ସରକାର ଜମି ଯୋଗାଇ ଦେଉନାହାନ୍ତି ବୋଲି ରେଳମନ୍ତ୍ରୀ କହିଥିଲେ।

ଆଜି ଏସବୁ ଅଭିଯୋଗର ପାଲଟା ଜାବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଗତ ୨୦୧୮ ମସିହାରେ କେନ୍ଦ୍ର ବିଜେପି ମନ୍ତ୍ରୀ ପଦ୍ମପୁରରେ ରେଳ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବରଗଡ଼ରୁ ପଦ୍ମପୁର  ହୋଇ ନୂଆପଡ଼ା ପର୍ଯ୍ୟନ୍ତ ରେଳ ଚଳାଚଳ କରିବା ବୋଲି କହିଥିଲେ। କେଉଁଠି ପଦ୍ମପୁର ରେଳ ଷ୍ଟେସନ? ପଦ୍ମପୁରର କେଉଁ ଗାଁ ଦେଇ ଏହି ରେଳ ଚଳାଚଳ କରୁଛି ବୋଲି କଟାକ୍ଷ କରି କହିଥିଲେ ନବୀନ ପଟ୍ଟନାୟକ।

ବିଜେପୁର ଉପନିର୍ବାଚନ ସମୟରେ ବିଜେପି ମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାଙ୍କ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏବେ କେନ୍ଦ୍ରର ବିଜେପି ମନ୍ତ୍ରୀ କହୁଛନ୍ତି ରାଜ୍ୟ ସରକାର ଜମି ଯୋଗାଇ ଦେଉନାହାନ୍ତି। ମାନ୍ୟବର ମନ୍ତ୍ରୀ କହିବେ କି କେଉଁ ଗାଁ ଦେଇ ଟ୍ରେନ ଯିବ ଏବଂ କେଉଁଠି ଷ୍ଟେସନ ହେବ? ଏଥିପାଇଁ କେବେ ସର୍ଭେ ହେଲା ଏବଂ ଏଥିପାଇଁ ଡିପିଆର ହୋଇଛି କି?”

ଏଭଳି ଅନକେ ପ୍ରଶ୍ନରେ ବିଜେପିକୁ ଘାଇଲା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ମିଛ କହୁଛନ୍ତି। ପଦମପୁର ବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି।

କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ନେଉଛନ୍ତି କେନ୍ଦ୍ର ସରକାର

ଦଳୀୟ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପଦ୍ମପୁର ଚାଷୀଙ୍କ ପ୍ରତି କେନ୍ଦ୍ରର ଅବହେଳା କଥା କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ନେଇ ବିଜେପିର ଛନକା ପଶିଛି। ସୁନା ଉପରେ ୩ ପ୍ରତିଶତ ଜିଏସଟି ଲାଗୁଥିବାବେଳେ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ନେଉଛନ୍ତି କେନ୍ଦ୍ର ସରକାର। ଏହା କେନ୍ଦୁପତ୍ର ତୋଳାଳି ଏବଂ କର୍ମଚାରୀଙ୍କ ପ୍ରତି ଅନ୍ୟାୟ ନୁହେଁ କି ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ।

ଶୁକ୍ରବାର ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵରରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ପଦ୍ମପୁରଠାରେ ପହଞ୍ଚି ଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିବାକୁ ପ୍ରସ୍ତୁତ ରହିଥିଲେ ମନ୍ତ୍ରୀ, ବିଧାୟକ ଏବଂ ହଜାର ହାଜାର ଦଳୀୟ କର୍ମୀ। ପାରମ୍ପରିକ ନୃତ୍ୟ ବାଦ୍ୟରେ ପଦ୍ମପୁର ମାଟିକୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା।

ବିଜେଡି ପ୍ରାର୍ଥୀ ବର୍ଷା ବରିହାଙ୍କ ଲାଗି ପ୍ରଚାର ପାଇଁ ଆସିଥିବା ମୁଖ୍ୟମନ୍ତ୍ରୀ କହିଥିଲେ ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର। ମୁଁ ସବୁବେଳେ ଲୋକଙ୍କ ସୁଖଦୁଃଖରେ ଅଛି। ଆଗକୁ ମଧ୍ୟ ରହିଥିବି। ପଦ୍ମପୁର ମାଟିର ଝିଅ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଶଙ୍ଖ ଚହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ବିଜେଡି ସୁପ୍ରିମୋ ପଦ୍ମପୁର ବାସୀଙ୍କୁ ନିବେଦନ କରିଥିଲେ।

ପଦ୍ମପୁରରେ ନର୍ବାଚନୀ ପ୍ରଚାର କାର୍ଯ୍ୟ ସରିବା ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ଫେରି ଆସିଥିଲେ।

Tags: #Politics #OdishaPolitics #PadampurByElection #CMOdisha #NaveenPatnaik #BJD #Campaign #Jharbandh

Comment