ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ପ୍ରଚାର। ଦିନକ ପରେ ପଡ଼ିବ ଭୋଟ। ପ୍ରଚାରର ଶେଷ ଦିନରେ ବିଭିନ୍ନ ଦଳଙ୍କ ପ୍ରଚାରରେ କମ୍ପିଥିଲା ପଦ୍ମପୁର ମଇଦାନ। ଶେଷ ଦିନରେ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ଚେଷ୍ଟା କରିଥିଲେ। ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ପଦ୍ମପୁର ପରୀକ୍ଷା ଫଳ।

ଶନିବାର ଦିନ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ପ୍ରଚାର ସରିଛି। ଆସନ୍ତା ଡିସେମ୍ବର ୫ ତାରିଖରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପଦ୍ମପୁର ଭୋଟର। ପ୍ରଚାର କାର୍ଯ୍ୟ ସରିଥିବାରୁ ବାହାର ରାଜ୍ୟ ଏବଂ ଜିଲ୍ଲାରୁ ଆସିଥିବା ନେତା, ମନ୍ତ୍ରୀ ଏବଂ କର୍ମୀମାନଙ୍କୁ ପଦ୍ମପୁର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

ଡିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ହେବ ମତଦାନ। ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବାବେଳେ ମତଦାନ ଲାଗି ଇଭିଏମ ଆସି ପହଞ୍ଚିଛି ପଦ୍ମପୁରରେ। ପଦ୍ମପୁର ସହରର ଆରଏମସିଠାରେ ଷ୍ଟ୍ରଙ୍ଗରୁମ୍ ବ୍ୟବସ୍ଥା କରାଯାଇଛି। ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ ପରିଚାଳନାରେ ସହଯୋଗ କରିବାକୁ ପଦ୍ମପୁର ବାସୀଙ୍କ ସହଯୋଗ କାମନା କରିଛନ୍ତି ବରଗଡ଼ ଏସପି ସ୍ମିତ ପରମାର।

ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ୫୦ ପ୍ରତିଶତ ବୁଥରେ ଓ୍ଵେବକାଷ୍ଟିଂ କରାଯିବା ସହ ଉତ୍ତେଜନା ପ୍ରବଣ ବୁଥଗୁଡ଼ିକରେ ୩୫ ଜଣ ଅଣୁ-ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗୃହ ମନ୍ତ୍ରାଳୟ ଦ୍ଵାରା ୫ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଏବଂ ପର୍ଯ୍ୟାପ୍ତ ସଂଖ୍ୟକ ରାଜ୍ୟ ପୋଲିସ ବଳଙ୍କୁ ନିୟୋଜିତ କରାଯିବାକୁ ବ୍ୟବସ୍ଥା ହୋଇଛି।

ଡିସେମ୍ବର ୫ ତାରିଖ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପଦ୍ମପୁର ଉପନିର୍ବାଚନ ଲାଗି ମତଦାନ ହେବ। ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ପାଇଁ ମୋଟ ୩୧୯ଟି ବୁଥ ବ୍ୟବସ୍ଥା କରାଯାଇଥିବାବେଳେ ଏଥିରେ ୬ଟି ପିଙ୍କ ବୁଥ୍ ଏବଂ ୧୫ଟି ମଡେଲ ବୁଥ ରହିଛି। ମୋଟ ବୁଥ ମଧ୍ୟରୁ ଝାରବନ୍ଧ ବ୍ଲକରେ ୭୪ଟି, ପାଇକମାଳରେ ୧୧୦ଟି, ରାଜବୋଡାସମ୍ବରରେ ୧୨୨ଟି ଏବଂ ପଦ୍ମପୁର ଏନଏସିରେ ୧୩ଟି ବୁଥରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି। ପଦ୍ମପୁର ଉପନିର୍ବାଚନ ପରିଚାଳନା ନିମନ୍ତେ ୩୬୦ ପୋଲିଂ ପାର୍ଟିକୁ ନିଯୁକ୍ତ କରାଯାଇଛି।

ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ଏବଂ ୮ ତାରିଖରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ। ପଦ୍ମପୁର ବଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି।

Tags: #Politics #OdishaPolitics #PadampurPolitics #PadampurByElection #Voting

Comment