ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ପୁରଷ ହକି ବିଶ୍ୱକପକୁ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ବିଶ୍ୱକପ୍ ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବାବେଳ, ହକି ଇଣ୍ଡିଆ ପ୍ରଥମଥର ପାଇଁ ବିଶ୍ୱକପ୍ ଟ୍ରଫି ଶୋଭାଯାତ୍ରାର ପରିକଳ୍ପନା କରିଛି। ଡିସେମ୍ବର ମାସ ୫ ତାରିଖରେ ଭୁବନେଶ୍ୱରରୁ ଏହି ୨୧ ଦିନିଆ ଟ୍ରଫି ଶୋଭାଯାତ୍ରା ଆରମ୍ଭ ହେବ। ଏହି ଟ୍ରଫି ଦେଶର ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପରିକ୍ରମା କରି ସାରିବା ପରେ ଡିସେମ୍ବର ୨୫ ତାରିଖରେ ଭୁବନେଶ୍ୱର ଫେରିବ। ଯାତ୍ରା ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ଵକପ ଟ୍ରଫିକୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ହସ୍ତାନ୍ତର କରିବେ।

ଦେଶରେ ଯଥାସମ୍ଭବ ସ୍ଥାନରେ ବିଶ୍ୱକପ୍ ଟ୍ରଫିକୁ ହକି ପ୍ରଶଂସକଙ୍କ ନିକଟରେ ପହଞ୍ଚାଇବା ଓ ସେମାନଙ୍କୁ ହକି ସହ ଯୋଡିବା ଉଦ୍ଦେଶ୍ୟରେ ଏହି ଯାତ୍ରାର ଆୟୋଜନ କରାଯାଉଛି। ୨୧ ଦିନିଆ ଯାତ୍ରା ମଧ୍ୟରେ ବିଶ୍ୱକପ୍ ଟ୍ରଫି କୋଲକାତା, ମଣିପୁରର ଇମ୍ଫାଲ, ଆସାମର ଗୁଆହାଟୀ, ଝାଡ଼ଖଣ୍ଡର ଜାମସେଦପୁର ଓ ରାଞ୍ଚି, ଉତ୍ତର ପ୍ରଦେଶର ଲକ୍ଷ୍ନୌ, ପଞ୍ଜାବର ଅମୃତସର, ରାଜଧାନୀ ନୂଆଦିଲ୍ଲୀ, ହରିୟାଣାର ସୋନିପତ, ଭୋପାଳ, ମୁମ୍ବାଇ, ଚେନ୍ନାଇ, କେରଳର ଥିରୁଭାନନ୍ତପୁରମ, ବେଙ୍ଗାଲୁରୁ ଏବଂ ଅନ୍ୟ କେତେକ ସ୍ଥାନ ଭ୍ରମଣ କରିବ। ୨୫ ତାରିଖରେ ଟ୍ରଫି ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ସହର ପରିକ୍ରମା କରିବ।

ଆଗାମୀ ପୁରଷ ହକି ବିଶ୍ୱକପ୍ ଭୁବନେଶ୍ୱରର କଳିଙ୍ଗ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ୨୦୨୩ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଦଳମାନେ ଅଂଶଗ୍ରହଣ କରିବେ।

Tags: #Men’sHockeyWorldCup2023 #Trophytour #December5 #HockeyIndia #Odisha #Bhubaneswar #Rourkela

Comment