ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ମୋଟ ୩୧୯ଟି ବୁଥରେ ଚାଲିଛି ମତଦାନ। ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଳସ୍ଥିତ ପ୍ରକଳ୍ପ ପ୍ରାଥମିକ ବାଳିକା ବିଦ୍ୟାଳୟର ୧୨୮ ନମ୍ବର ବୁଥରେ ମତଦାନ କରିଛନ୍ତି।

ପଦ୍ମପୁର ଉପନିର୍ବାଚନ ଲାଗି ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ଭୋଟ ଦେବାକୁ ଯିବା ପୂର୍ବରୁ ନୃସିଂହନାଥ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ମତଦାନ କେନ୍ଦ୍ରରେ ପହଁଞ୍ଚି ସେ ନିଜର ମତ ସାବ୍ୟସ୍ତ କରିଥିଲେ।ପଦ୍ମପୁର ବିଧାସଭା ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପଦ୍ମପୁର ଭୋଟର। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ।

ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ ୩୧୯ ବୁଥରେ ମତଦାନ ଚାଲିଛି। ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ ବୁଥରେ ମତଦାନ ଚାଲିଛି। ୧୨୦ଟି ବୁଥରେ ୱେବକାଷ୍ଟିଂ ଏବଂ ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ବୁଥଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ସମ୍ବେଦନଶୀଳ ବୁଥଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିଛି ପୁଲିସ ଓ ପ୍ରଶାସନ।

Tags: #Politics #OdishaPolitics #PadampurByElection #Voting

Comment