ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ପୁରଷ ହକି ବିଶ୍ଵକପର ସମୟ ପାଖେଇ ଆସୁଛି। ବିଶ୍ୱକପକୁ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ବିଶ୍ୱକପ୍ ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବାବେଳ ବେଳେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ୍ ଟ୍ରଫି ଟୁର୍ ଉଦଘାଟନ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଶ୍ୱକପ୍ ଟ୍ରଫିକୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ହସ୍ତାନ୍ତର କରିଛନ୍ତି।

ଏହି ୨୧ ଦିନିଆ ଶୋଭାଯାତ୍ରାରେ ବିଶ୍ୱକପ୍ ଟ୍ରଫି ଦେଶର ୧୩ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପରିକ୍ରମା କରି ସାରିବା ପରେ ଡିସେମ୍ବର ୨୫ ତାରିଖରେ ଭୁବନେଶ୍ୱର ଫେରିବ। ଯାତ୍ରା ମଧ୍ୟରେ ବିଶ୍ୱକପ୍ ଟ୍ରଫି କୋଲକାତା, ମଣିପୁରର ଇମ୍ଫାଲ, ଆସାମର ଗୁଆହାଟୀ, ଝାଡ଼ଖଣ୍ଡର ଜାମସେଦପୁର ଓ ରାଞ୍ଚି, ଉତ୍ତର ପ୍ରଦେଶର ଲକ୍ଷ୍ନୌ, ପଞ୍ଜାବର ଅମୃତସର, ରାଜଧାନୀ ନୂଆଦିଲ୍ଲୀ, ହରିୟାଣାର ସୋନିପତ, ଭୋପାଳ, ମୁମ୍ବାଇ, ଚେନ୍ନାଇ, କେରଳର ଥିରୁଭାନନ୍ତପୁରମ, ବେଙ୍ଗାଲୁରୁ ଏବଂ ଅନ୍ୟ କେତେକ ସ୍ଥାନ ଭ୍ରମଣ କରିବ। ୨୫ ତାରିଖରେ ଟ୍ରଫି ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ସହର ପରିକ୍ରମା କରିବ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ମହାସଚିବ ଭୋଲାନାଥ ସିଂହ, କ୍ରୀଡା ସଚିବ ଆର୍. ଭିନିଲ କ୍ରିଷ୍ଣା ପ୍ରମୁଖ ଯୋଗ ଦେଇଛନ୍ତି। ଆଗାମୀ ପୁରଷ ହକି ବିଶ୍ୱକପ୍ ଭୁବନେଶ୍ୱରର କଳିଙ୍ଗ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ୨୦୨୩ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଦଳମାନେ ଅଂଶଗ୍ରହଣ କରିବେ।

Tags: #Men’sHockeyWorldCup2023 #Trophytour #NaveenPattanaik #Diliptirkey #HockeyIndia #Odisha #Bhubaneswar #Rourkela

Comment