ଓଡ଼ିଶାଲାଇଭ୍ ବ୍ୟୁରୋ

ପିତାଙ୍କୁ କିଡନୀ ଦେଇ ସମସ୍ତଙ୍କ ପାଇଁ ଉଦାହଣ ପାଲଟିଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ। ସିଙ୍ଗାପୁର ସ୍ଥିତ ହସ୍ପିଟାଲରେ ଲାଲୁ ପ୍ରସାଦଙ୍କର କିଡନୀ ପ୍ରତ୍ୟାରୋପଣ ସଫଳ ହୋଇଛି।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଦ୍ଵିତୀୟ ଝିଅ ରୋହିଣୀ ଆଚାର୍ଯ୍ୟ ପିତାଙ୍କୁ କିଡନୀ ଦେଇଛନ୍ତି। ସୋମବାର ଦିନ ସିଙ୍ଗାପୁରଠାରେ ତାଙ୍କର ପ୍ରତ୍ୟାରୋପଣ କରାଯାଇଛି। କିଡନୀ ପ୍ରତ୍ୟାରୋପଣ ସଫଳ ହୋଇଥିବା ସୂଚନା ଦେଇଛନ୍ତି ପୁଅ ତେଜସ୍ଵୀ ଯାଦବ।

ଏହା ପୂର୍ବରୁ ଶନିବାର ଦିନ ରୋହିଣୀ ନିଜ ବାପାଙ୍କ ସହ ଏକ ଫଟୋ ସୋସିଆଲ ମେଡିଆରେ ପୋଷ୍ଟ କରି ଲେଖିଥିଲେ, “ମୁଁ ଭଗବାନଙ୍କୁ କେବେ ଦେଖିନି, କିନ୍ତୁ ଭଗବାନଙ୍କ ରୂପରେ ମୋ ବାପାଙ୍କୁ ଦେଖିଛି।”

ବର୍ତ୍ତମାନ ଅଧିକାଂଶ ସନ୍ତାନ ନିଜ ଖୁସି କଥା ଚିନ୍ତା କରି ବାପା ମା’ଙ୍କୁ ପଚାରୁ ନାହାନ୍ତି। କିନ୍ତୁ ନିଜ ଜୀବନକୁ ବାଜି ଲଗାଇ ରୋହିଣୀ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟ ପଟେ ଲାଲୁ ପ୍ରସାଦ ଯାଦବ କହିଛନ୍ତି ଭାଗ୍ୟରେ ଥିଲେ ରୋହିଣୀଙ୍କ ଭଳି ଝିଅ ମିଳେ।

ଲାଲୁ ପ୍ରସାଦ ଯାଦବ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ। ପରେ ତାଙ୍କ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଲାଲୁଙ୍କ ବଞ୍ଚି ରହିବା ପାଇଁ କିଡନୀ ପ୍ରତ୍ୟାରୋପଣ କରିବା ଏକ ମାତ୍ର ବାଟ ବୋଲି ଡାକ୍ତର କହିଥିଲେ। ଏହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପରିବାର ଲୋକେ। ପିତାଙ୍କୁ କିଡନୀ ଦେବା ଲାଗି ଆଗେଇ ଆସିଥିଲେ ଝିଅ ରୋହିଣୀ। କିନ୍ତୁ ଏଥିରେ ରାଜି ହୋଇନଥିଲେ ଲାଲୁ ପ୍ରସାଦ। କିନ୍ତୁ ରୋହିଣୀ ବାପାଙ୍କୁ ରାଜି କରାଇଥିଲେ। ଆଜି ସଫଳ ଭାବେ ଲାଲୁ ପ୍ରସାଦ ଯାଦବଙ୍କର କିଡନୀ ପ୍ରତ୍ୟାରୋପଣ କରାଯାଇଥିବାବେଳେ ପରିବାର ସଦସ୍ୟ ଲାଲୁ ପ୍ରସାଦଙ୍କ ପାଖରେ ପହଞ୍ଚିଛନ୍ତି।

Tags: #Health #Healthcare #LaluprasadYadav #RohiniAcharya #KidneyTransplant

Comment