ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ବିଧାସନଭା ଉପନିର୍ବାନ ପାଇଁ ମତଦାନ କରିବା ସମୟରେ ପ୍ରାୟ ୭ଟି ଇଭିଏମ୍ ମେସିନ ଅଚଳ ହୋଇପଡ଼ିଥିଲା। ଫଳରେ କିଛି ସମୟ ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିଲା। ତ୍ରୁଟି ସଜଡ଼ା ଯିବା ପରେ ବର୍ତ୍ତମାନ ସ୍ଵାଭାବିକ ଭାବେ ମତଦାନ ଚାଲିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ପଦ୍ମପୁର ଏନଏସି ୨୦୯ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଥିଲା। ମାତ୍ର ୮ ଖଣ୍ଡ ଭୋଟ ପଡ଼ିବା ପରେ ଇଭିଏମ୍ ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ କିଛି ସମୟ ପାଇଁ ଏହି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ପଦ୍ମପୁର ତହସିଲଦାର ସମ୍ପୃକ୍ତ ବୁଥରେ ପହଞ୍ଚି ସ୍ଥିତି ପରଖିବା ପରେ ତ୍ରୁଟି ସଜଡ଼ା ଯାଇଥିଲା। ପରେ ଏଠାରେ ସ୍ଵାଭାବିକ ଭାବେ ମତଦାନ ଆରମ୍ଭ ହୋଇଥିଲା।

ସେହିପରି ପାଇକମାଳର ୧୨୮ ନମ୍ବର ବୁଥ, ୨୧୧ ନମ୍ବର ବୁଥ ଏବଂ ଦହିଗାଁ ଆଦି ବୁଥର ପ୍ରାୟ ୭ଟି ଇଭିଏମ ଅଚଳ ହୋଇପଡ଼ିବାରୁ କିଛି ସମୟ ପାଇଁ ମତଦାନ କରିପରିନଥିଲେ ଭୋଟର। ଯାନ୍ତ୍ରୀକ ତ୍ରୁଟି ସଜଡ଼ା ଯିବା ପରେ ବର୍ତ୍ତମାନ ସ୍ଵାଭାବିକ ଭାବେ ମତଦାନ ଚାଲିଛି। ଇଭିଏମ୍ ତ୍ରୁଟି ସଜାଡ଼ିବା ପାଇଁ ଆବଶ୍ୟକ ଇଭିଏମ୍ ଓ ଟେକ୍ନିସିଆନ୍ ଉପସ୍ଥିତ ଅଛନ୍ତି ।

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ୩୧୯ଟି ବୁଥରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଦୃଷ୍ଟିବାଧିତଙ୍କ ପାଇଁ ସ୍ଵତନ୍ତ୍ର ବ୍ରେଲି ବାଲଟର ବ୍ୟବସ୍ଥା କରାଯାଇଛି। ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା ଭୋଟରମାନଙ୍କୁ ଘରୁ ନେବା ଏବଂ ଛାଡ଼ିବା ଲାଗି ଗାଡ଼ି ବ୍ୟବସ୍ଥା ହୋଇଛି।

ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧,୨୭୬ ଜଣ ନିୟୋଜିତ ଅଛନ୍ତି। ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ୧୫ଟି ମଡେଲ ବୁଥରେ ରାମ୍ପ, ଅସ୍ଥାୟୀ ସେଡ୍, ପିଇବା ପାଣି ବ୍ୟବସ୍ଥା କରାଯାଇଛି। ଏହି ଉପନିର୍ବାଚନ ଲାଗି ରହିଥିବା ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।

୭୯ଟି ଅତି ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହା ସହିତ ୧୨୦ଟି ସମ୍ବେଦନଶୀଳ ବୁଥରେ ଓ୍ଵେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ବରଗଡ଼ ଜିଲ୍ଲା ମାଓବାଦୀ ପ୍ରବଣ ହୋଇଥିବାରୁ ୧,୪୧୩ ପୋଲିସ ଅଧିକାରୀଙ୍କ ସମେତ ୯ କମ୍ପାନି ସଶସ୍ତ୍ର କେନ୍ଦ୍ରୀୟ ପୋଲିସ ବାହିନୀ ମୁତୟନ ରହିଛନ୍ତି।  ୭୪ଟି ନକ୍ସଲ ପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ଵାର୍ଡ ଏବଂ ୧୧୨ଟି ବୁଥରେ ସ୍ଵତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ରହିଛନ୍ତି। ଏହା ସହିତ ୪୫ଟି ମୋବାଇଲ୍ ଟିମଙ୍କୁ ମଧ୍ୟ ମୁତୟନ କରାଯାଇଛି।

Tags: #Politics #OdishaPolitics #PadampurByElection #Voting #EVM

Comment