ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କାଲି ଯେଉଁ ହାତରେ ବନ୍ଧୁକ ଧରୁଥିଲେ ଆଜି ସେ ହାତରେ ମେହେନ୍ଦି ଲାଗିଛି। ଦିନେ ଦୁର୍ଦ୍ଦାନ୍ତ ମାଓବାଦୀ ଭାବେ ପରିଚିତ ଥିବା ନନ୍ଦିନୀ ଏବଂ କରୁଣାଙ୍କୁ ଆଜି ବଧୂ ବେଶରେ ଦେଖିବାକୁ ମିଳିଛି। ଫୁଲବାଣୀ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଥିବା ରାଧାକୃଷ୍ଣ ମନ୍ଦିରରେ ସୋମବାର ଦିନ ଉଭୟ ନନ୍ଦିନୀ ଏବଂ କରୁଣାଙ୍କର ବିବାହ କରାଇଛି କନ୍ଧମାଳ ପୋଲିସ।

ସ୍ୱପ୍ନିତା ପାଟ୍ଟ ମାଝି ଓରଫ ନନ୍ଦିନୀ ୨୦୧୯ ମସିହାରେ କନ୍ଧମାଳ ଏସପିଙ୍କ ନିକଟରେ ଏବଂ ଫୁଲବତୀ ଉସେଣ୍ଡି ଓରଫ କରୁଣା ୨୦୨୧ରେ ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। କରୁଣା ଛତିଶଗଡ଼ କଙ୍କର ଜିଲ୍ଲାର ଦୂରଖଣ୍ଡାଳ ଥାନା ଅନ୍ତର୍ଗତ ଗୁମୁଡ଼ି ଗ୍ରାମର ହୋଇଥିବାବେଳେ ନନ୍ଦିନୀ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିରଲା ପଞ୍ଚାୟତର ଗୁଡ଼ରି ଗ୍ରାମର।

ଉଭୟ ମାଓବାଦୀ କାର୍ଯ୍ୟକଳାପ ଛାଡ଼ି ସମାଜର ସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରିଥିଲେ। ଦୁହେଁ ଅବିବାହିତା ଥିବାରୁ ପୋଲିସ ସେମାନଙ୍କ ବିବାହ କଥା ଚିନ୍ତା କରିଥିଲା। ବର ଖୋଜିବା ସହ ବିବାହର ସମସ୍ତର ଆୟୋଜନ କନ୍ଧମାଳ ପୋଲିସ ପକ୍ଷରୁ କରାଯାଇଛି। କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବିବାହ ଭୋଜିଠାରୁ ଆରମ୍ଭ କରି ଲୁଗାପଟା ଆଦି ସମସ୍ତ ଖର୍ଚ୍ଚ ପୋଲିସ ପକ୍ଷରୁ ବହନ କରାଯାଇଛି।

କନ୍ଧମାଳ ଦାରିଙ୍ଗବାଡ଼ି ଅଞ୍ଚଳର ବିନୋଦଙ୍କ ସହ ନନ୍ଦିନୀର ବିବାହ ହୋଇଥିବାବେଳେ କରୁଣା ଜି. ଉଦୟଗିରିର ସ୍ଵପ୍ନେଶ୍ଵରଙ୍କୁ ବିବାହ କରିଛନ୍ତି। ଏହି ବିବାହରେ ଉଭୟ ବେଶ ଖୁସି ଥିବା ସେମାନେ କହିଛନ୍ତି।

ନନ୍ଦିନୀ ଏବଂ କରୁଣାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କନ୍ଧମାଳ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ। ଏହି ବିବାହରେ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର ଯୋଗ ଦେଇ ଉଭୟଙ୍କୁ ଆଶୀର୍ବାଦ କରିଥିଲେ।

Tags: #LadyMaoist #Kandhamal #KandhamalPolice #Marriage #Nandini #Karuna

LEAVE A REPLY

Please enter your comment!
Please enter your name here