ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଓଡ଼ିଶାରେ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପ୍ରଥମେ କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ଏଠାରେ ସେ ନିଜ ସମ୍ବୋଧନରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

“ମହାପ୍ରଭୁ ଜଗନ୍ନାଥଙ୍କ ଯୋଗୁଁ ସାରା ଦୁନିଆ ଚାଲିଛି। ହେଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ସମ୍ଭାଳି ପାରିଲେ ନାହିଁ ରାଜ୍ୟ ସରକାର। ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ମୂଲ୍ୟାୟନ ୪୫ ବର୍ଷ ତଳେ ହୋଇଥିଲା। ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି ଅଧିକ ଗମ୍ଭୀର ବିଷୟ ପାଲଟିଛି। ଏଥିପାଇଁ କମିସନ ବସିଲା ହେଲେ କମିସନର ରିପୋର୍ଟ ସାର୍ବଜନୀନ ହେଲାନି। ବିଜେପି ସରକାର ଆସିଲେ, ରତ୍ନଭଣ୍ଡାରର ପୁନଃ ମର୍ଯ୍ୟାଦା ପ୍ରତିଷ୍ଠା ହେବ”, କହିଥିଲେ ନରେନ୍ଦ୍ର ମୋଦୀ।

ସେ ଆହୁରି ମଧ୍ୟ କହିଥିଲେ, “ଗୁଜରାଟ ପାଖରେ ଯେଉଁ ସାମର୍ଥ୍ୟ ଅଛି, ତା’ଠାରୁ ୧୦୦ ଗୁଣା ଅଧିକ ସାମର୍ଥ୍ୟ ଓଡ଼ିଶାର ଅଛି। ଗୁଜରାଟ ଆଗେଇ ଗଲା, ହେଲେ ଓଡ଼ିଶା କାହିଁକି ପଛରେ ରହିଗଲା? ଏହାର ଜବାବ ବିଜେଡିକୁ ଦେବାକୁ ପଡ଼ିବ।”

ଫୁଲବାଣୀରେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କନ୍ଧମାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଥିଲେ। ଏଠାରେ ସେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କ ସହ ସାକ୍ଷାତ କରିଥିଲେ। କନ୍ଧମାଳ ଲୋକସଭା ଅଧିନସ୍ଥ ବିଭିନ୍ନ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।    

ପ୍ରଧାନମନ୍ତ୍ରୀ ଶନିବାର ସକାଳେ ଭୁବନେଶ୍ୱରରୁ ଫୁଲବାଣୀ ଅଭିମୁଖେ ବାହାରିଥିଲେ। ସେ ଗୁଦାରୀ ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ଫୁଲବାଣୀ ଷ୍ଟାଡିୟମ ଯାଇ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ଫୁଲବାଣୀ ପରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଓ ବରଗଡ଼ରେ ଦଳୀୟ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  

Tags: #OdishaAssemblyElections2024 #NarendraModi #ElectionCampaign #BJP #Phulbaani #Kandhamal #Odisha

LEAVE A REPLY

Please enter your comment!
Please enter your name here