ଓଡ଼ିଶାଲାଇଭ୍ ବ୍ୟୁରୋ

ଶାନ୍ତିଶୃଙ୍ଖଳାରେ ସରିଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ ପଦ୍ମପୁର ପରୀକ୍ଷାର ଫଳାଫଳ।

ପଦ୍ମପୁର ବିଧାସନଭା ଉପନିର୍ବାଚନ ଲାଗି ସୋମବାର ଦିନ ମତଦାନ ଶେଷ ହୋଇଛି। ଏହି ଉପନିର୍ବାଚନରେ ମୋଟ ୮୨ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ। ମୋଟ ୩୧୯ଟି ବୁଥରେ ମତଦାନ କରିଥିଲେ ପଦ୍ମପୁର ଭୋଟର। ବର୍ତ୍ତମାନ ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମଗୁଡ଼ିକୁ ରଖାଯାଇଛି।

୨୦୧୯ ମସିହା ପଦ୍ମପୁର ବିଧାନସଭାରେ ୭୯.୦୫ ପ୍ରତିଶତ ମତଦାନ ହୋଇଥିବାବେଳେ ଉପନିର୍ବାଚନରେ ରେକର୍ଡ ମତଦାନ ହୋଇଥିବା କୁହାଯାଉଛି। ଏହି ଉପନିର୍ବାଚନରେ ବିଜୟ ପାଇଁ ବିଜେପି ଆଶା ବାନ୍ଧିଥିବାବେଳେ ବିପୁଳ ଭୋଟରେ ବିଜୟୀ ହେବ ବୋଲି କହିଛି ବିଜେଡି। ମଙ୍ଗଳବାର ଦିନ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଏଥର ପଦ୍ମପୁରରେ ବିଜେଡି ବହୁ ସଂଖ୍ୟାରେ ବିଜୟ ହାସଲ କରିବ।

ପଦ୍ମପୁର ବିଧାସନଭା ଉପନିର୍ବାଚନ ଲାଗି ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ଏବଂ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେବେ କାହା ଉପରେ ଭରସା କରୁଛନ୍ତି ପଦ୍ମପୁର ଭୋଟର, ତାହା ଆସନ୍ତା ୮ ତାରିଖରେ ସ୍ପଷ୍ଟ ହୋଇଯିବ।

Tags: #Politics #OdishaPolitics #PadampurByElection #Voting #EVM #StrongRoom

Comment