ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ଆସିବ ପଦ୍ମପୁର ପରୀକ୍ଷାର ଫଳାଫଳ। ଡିସେମ୍ବର ୫ ତାରିଖରେ ସରିଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବୁଧବାର ଦିନ ସୂଚନା ଦେଇଛନ୍ତି।

ଗୁରୁବାର ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ସକାଳ ୮ଟା ସୁଦ୍ଧା ଆସିଥିବା ପୋଷ୍ଟାଲ ବାଲଟ ଗଣତି ହେବ। ଏହା ପରେ ୮ଟା ୩୦ରୁ ଇଭିଏମ ଗଣତି ଆରମ୍ଭ ହେବ। ମୋଟ ୩୧୯ଟି ବୁଥ ଲାଗି ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ।

ପ୍ରତି ଟେବୁଲରେ ୩ ଜଣ ଷ୍ଟାଫ୍ ରହିବେ। ସେମାନେ ହେଲେ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଣ୍ଟାଣ୍ଟ ଏବଂ ଜଣେ ମାଇକ୍ରୋ ଅବଜର୍ଭର ରହିବେ। ଏହା ବ୍ୟତୀତ ଗଣତି ଟେବୁଲ ନିକଟରେ ପ୍ରାର୍ଥୀମାନଙ୍କର ଜଣେ ଜଣେ ଏଜେଣ୍ଟ ରହିବେ। ଯେଉଁମାନଙ୍କ ନିକଟରେ ନିଯୁକ୍ତିପତ୍ର ଥିବ ସେହି ଏଜେଣ୍ଟମାନଙ୍କୁ ହିଁ ଗଣତି ଟେବୁଲ ନିକଟରେ ରହିବାକୁ ଅନୁମତି ମିଳିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

୫ଟି ବୁଥର ଭିଭିପାଟ୍ ଗଣତି କରାଯିବ। ନିଯୁକ୍ତ ଥିବା ଜେନେରାଲ ଅବଜର୍ଭର ସମସ୍ତ ଗଣତି ପ୍ରକ୍ରିୟାର ତଦାରଖ କରିବେ। ଇଭିଏମ ଗଣତି ସମୟରେ ଯାନ୍ତ୍ରୀକ ତ୍ରୁଟି ଉପଜିଲେ ତାକୁ ସୁଧାରିବାକୁ ଦୁଇ ଜଣ ଜଣ ଟେକ୍ନିକାଲ ଅବଜର୍ଭର ଉପସ୍ଥିତ ରହିବେ।

ପଦ୍ମପୁର ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ନିଯୁକ୍ତ ହୋଇଛନ୍ତି ସିଆରପିଏଫ୍, ଷ୍ଟେଟ ଆର୍ମ ଫୋର୍ସ ଓ ରାଜ୍ୟ ପୋଲିସ।

ଭୋଟ ଗଣତି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ନିର୍ବାଚନ କମିଶନଙ୍କ ଦ୍ଵାରା ଯେଉଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପାସ ମିଳିଥିବ ସେମାନେ ହିଁ ଗଣତି କେନ୍ଦ୍ରକୁ ଯାଇପାରିବେ। ଗଣତି କେନ୍ଦ୍ର ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଯାଇଛି। ଛୋଟ ଛୋଟ ଗ୍ରୁପ କରି ସେମାନଙ୍କୁ ଗଣତି କେନ୍ଦ୍ର ଭିତରକୁ ନିଆଯିବ। ସେମାନେ ଦୂରରୁ ଭୋଟ ଗଣତି ଦେଖିପାରିବେ। ଭିଡିଓ ରେକଡିଂ ଏବଂ ଷ୍ଟିଲ ଫଟୋ ଉଠାଇବାକୁ ଅନୁମତି ରହିଛି। କିନ୍ତୁ ଷ୍ଟାଣ୍ଡ ଲଗାଇ ରେକର୍ଡିଂ କରିବାକୁ ବାରଣ କରାଯାଇଛି। ଏହା ସହିତ ପଦ୍ମପୁର ଭୋଟ ଗଣତି ସମ୍ପର୍କରେ ଜାଣିବା ପାଇଁ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ୟବସ୍ଥା କରାଯିବ। ସିଇଆଇ ଓ୍ଵେସାଇଟ result.eci.gov.in ପୋର୍ଟାଲରେ ପଦ୍ମପୁର ଭୋଟ ଗଣତି ସମ୍ପର୍କରେ ସୂଚନା ମିଳିପାରିବ।

ଶାନ୍ତିଶୃଙ୍ଖଳାର ସହ ଯେପରି ପଦ୍ମପୁର ଉପନିର୍ବାଚନ ଲାଗି ମତଦାନ ଶେଷ ହୋଇଥିଲା। ସେହିପରି ସୁଚାରୁ ରୂପେ ଭୋଟ ଗଣତି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।

Tags: #Politics #OdishaPolitics #PadampurByelection #Voting #VoteCounting #PadampurResult

Comment