ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିଛନ୍ତି। ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଆଗାମୀ ବର୍ଷ ପଦଯାତ୍ରା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପଦଯାତ୍ରା ସେ ମହିଳାମାନଙ୍କୁ ନେଇ କରିବେ ବୋଲି ସୂଚନା ମିଳିଛି।

କଂଗ୍ରେସ ସାଂସଦ କେ.ସି ବେଣୁଗୋପାଳ ରବିବାର ପ୍ରିୟଙ୍କା ଗାନ୍ଧୀଙ୍କ ପଦଯାତ୍ରା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପ୍ରିୟଙ୍କା ମହିଳା ପଦଯାତ୍ରାର ନେତୃତ୍ୱ ନେବେ। ଏହି ପଦଯାତ୍ରା ୨୦୨୩ ଜାନୁଆରୀ ୨୬ ତାରିଖରୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଦେଶର ସମସ୍ତ ରାଜ୍ୟର ରାଜଧାନୀରେ ମହିଳା ପଦଯାତ୍ରା ଆୟୋଜିତ ହେବ। ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ ଶେଷ ହେବା ଦିନ ପ୍ରିୟଙ୍କା ଗାନ୍ଧୀଙ୍କ ଗସ୍ତ ଆରମ୍ଭ ହେବ।”

୩୫୭୦ କିଲୋମିଟର ଦୂରତା ଅତିକ୍ରମ କରିବେ ରାହୁଲ

ସେପ୍ଟେମ୍ବର ୮ ତାରିଖରୁ ‘ଭାରତ ଯୋଡୋ ଯାତ୍ରା’ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରା କାଶ୍ମୀରରେ ଶେଷ ହେବ। ଏହି ସମୟରେ ରାହୁଲ ଗାନ୍ଧୀ ପ୍ରାୟ ୩୫୭୦ କିଲୋମିଟର ଦୂରତା ଅତିକ୍ରମ କରିବେ। ଏହି ପଦଯାତ୍ରା ୧୨ ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ଗତି କରୁଛି।

ରାଜସ୍ଥାନରେ ପ୍ରବେଶ କରିବ ‘ଭାରତ ଯୋଡୋ ଯାତ୍ରା’

ରବିବାର ସନ୍ଧ୍ୟାରେ ‘ଭାରତ ଯୋଡୋ ଯାତ୍ରା’ ରାଜସ୍ଥାନରେ ପ୍ରବେଶ କରିବ। ରାହୁଲ ଗାନ୍ଧୀ ରାଜସ୍ଥାନରେ ୧୭ ଦିନ ରହିବେ। ସେଠାରେ ସେ ୫୦୦ କିଲୋମିଟର ଦୂରତା ଅତିକ୍ରମ କରିବେ। ‘ଭାରତ ଯୋଡୋ ଯାତ୍ରା’ ପ୍ରଥମ ଥର ପାଇଁ କୌଣସି କଂଗ୍ରେସ ଶାସିତ ରାଜ୍ୟରେ ପ୍ରବେଶ କରିବ। ଗାନ୍ଧୀ ଏବଂ ଅନ୍ୟ ଯାତ୍ରୀମାନଙ୍କୁ ମଧ୍ୟପ୍ରଦେଶର ଝାଲାୱାରର ଜାଲରାପାଟନର ଚାୱଲି ଠାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ।

Tags: #RahulGandhi #BharatJodoJatra #PriyankaGandhi #MahilajodoJatra #Congress #2023Election #India

Comment