ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ, ଏବେ ଅପେକ୍ଷା କାହାର ହେବ ପଦ୍ମପୁର।

ପଦ୍ମପୁର ବିଧାନସଭା ଉପନିର୍ବାଚନ ଶେଷ ହୋଇ ଏବେ ଫଳାଫଳକୁ ଅପେକ୍ଷା। ଆଉ ମାତ୍ର କିଛି ଘଣ୍ଟା ପରେ ଜଣାପଡ଼ିଯିବ କାହା ଉପରେ ପଦ୍ମପୁର ଭୋଟର କରିଛନ୍ତି ଭରସା। ହାଇଭୋଲଟେଜ ପ୍ରଚାର ସାଙ୍ଗକୁ ମାଳ ମାଳ ପ୍ରସଂଗ ଏବଂ ପ୍ରତିଶ୍ରୁତି ମଧ୍ୟରେ ଶେଷ ହୋଇଛି ମତଦାନ। ମୋଟ ୧୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ କଡ଼ା ଟକ୍କର ଦେଖିବାକୁ ମିଳିଛି ବିଜେଡି ଏବଂ ବିଜେପି ମଧ୍ୟରେ।

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଚାରି ଚାରି ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିଥିବାବେଳେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କ ଲାଗି ପ୍ରଚାର କରିଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଥିଲା ନିର୍ବାଚନ ମଇଦାନ।

୨୦୧୯ର ପୁନରାବୃତ୍ତି ହେବ: ବିଜେଡି

ପଦ୍ମପୁର ମାଟିରେ ବିଜେଡିର ବିଜୟ ସୁନିଶ୍ଚିତ। କାରଣ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ବେଶ ଲୋକପ୍ରିୟତା ରହିଛି। ଲୋକ ତାଙ୍କ ଉପରେ ଭରସା କରୁଥିଲେ, ବିଜେଡି ଉପରେ ଲୋକଙ୍କର ସହଯୋଗ ରହିଛି। ବିଜେଡି ପ୍ରାର୍ଥୀ ବର୍ଷାଙ୍କ ଉପରେ ମଧ୍ୟ ପଦ୍ମପୁର ବାସୀଙ୍କ ଆଶୀର୍ବାଦ ରହିଛି। ଗତ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ଯେଉଁଭଳି ଭାବେ ବିଜେଡି ବିଜୟ ହାସଲ କରିଥିଲା, ତା’ଠାରୁ ଅଧିକ ଭୋଟରେ ଏଥର ବିଜେଡି ବିଜୟୀ ହେବ ବୋଲି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ପଦ୍ମପୁର ନିର୍ବାଚନ ଜିତିବାକୁ ୧୦୦ ପ୍ରତିଶତ ଆଶାବାଦୀ- ପ୍ରଦୀପ ପୁରୋହିତ

ପଦ୍ମପୁର ନିର୍ବାଚନ ଜିତିବାକୁ ଶତ ପ୍ରତିଶତ ଆଶାବାଦୀ ଥିବା କହିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ସେ କହିଛନ୍ତି ତାଙ୍କୁ ପଦ୍ମପୁର ବାସୀଙ୍କର ବହୁମାତ୍ରାରେ ସମର୍ଥନ ମିଳିଛି। ଅନ୍ୟ ପଟେ ନିର୍ବାଚନ ପୂର୍ବରୁ ପଦ୍ମପୁରରେ ଯେଉଁଭଳି ଭାବେ ସ୍ଥିତି ରହିଥିଲା ତାକୁ ଦେଖିଲେ ପଦ୍ମପୁରରେ ବିଜେପି ବିପୁଳି ଭୋଟରେ ବିଜୟ ହାସଲ କରିବ ବୋଲି କହିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଆମର ଜିତିବା ଆଶା କମ୍- କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ

ପଦ୍ମପୁର ଉପନିର୍ବାଚନରେ ଜିତିବାର ଆଶା କମ୍ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ। ସେ କହିଛନ୍ତି, “ପଦ୍ମପୁର ଉପନିର୍ବାଚନରେ ଆମେ ବିଜୟୀ ହେବୁ ବୋଲି ଭାବୁଥିଲୁ, କିନ୍ତୁ ବିଜେଡି ସୁପ୍ରିୟମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରଚାରକୁ ଓହ୍ଲାଇବା ପରେ ଆମ ଆଶା ମଉଳି ଯାଇଛି। ତାଙ୍କ ଗସ୍ତ ସମୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଲୋକଙ୍କୁ ଟଙ୍କା ବଣ୍ଟାଯାଇଛି। ଏଠି ଗଣତନ୍ତ୍ର ନୁହେଁ ବରଂ ଧନତନ୍ତ୍ର ଚାଲିଛି।”

ଅନ୍ୟ ପଟେ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର ପଦ୍ମପୁର ଉପନିର୍ବାଚନରେ ବିପୁଳ ଅର୍ଥ ଦେଇ ଭୋଟରଙ୍କୁ ପ୍ରଭାବିତ କରିଛନ୍ତି। ଏଥର ଆମର ବିଜୟ ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ କହିଛନ୍ତି ଯେ, ପଦ୍ମପୁର ଉପନିର୍ବାଚନରେ ବିଜେଡି ଏକ ନମ୍ବର ସ୍ଥାନରେ ରହିବ। ଦ୍ଵିତୀୟରେ ବିଜେପି ଓ କଂଗ୍ରେସ ତୃତୀୟ ସ୍ଥାନରେ ରହିବ ବୋଲି କହିଛନ୍ତି ସୁରେଶ ରାଉତରାୟ।

ପଦ୍ମପୁର ପରୀକ୍ଷା ଫଳାଫଳ ଅପେକ୍ଷାରେ ରହିଛନ୍ତି ପ୍ରାର୍ଥୀ, ନେତା ଏବଂ ଜନତା। ସବୁ ଦଳ ଏବଂ ପ୍ରାର୍ଥୀ ନିଜ ନିଜ ବିଜୟ ପାଇଁ ଆଶାବାଦୀ ବାନ୍ଧିଛନ୍ତି। ଖାସ କରି ବିଜେଡି ଏବଂ ବିଜେପି ମଧ୍ୟରେ ଏହି ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେବେ କିଏ ମାରିବ ପଦ୍ମପୁର ବାଜି ତା’ ଉପରେ ଏବେ ସମସ୍ତଙ୍କ ନଜର।

Tags: #Politics #OdishaPolitics #PadampurPolitics #PadampurByElection #BJP #BJD #Congress #Result #VoteCounting

Comment