ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ବିଧାନସଭା ଉପନିର୍ବାଚନ ବିଜୟ ଅଭିମୁଖେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ବିଜୟ ଘୋଷଣା ପୂର୍ବରୁ ବିଜେଡିର ସେଲିବ୍ରେସନ ଆରମ୍ଭ ହୋଇଛି।

ଡିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ସରିଥିବାବେଳେ ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରଥମରୁ ହିଁ ଆଗରେ ରହିଆସିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ବର୍ତ୍ତମାନ ସୁଦ୍ଧା ୨୦ଟି ରାଉଣ୍ଡରେ ଗଣତି ସରିଥିବାବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୩୫,୨୯୬ ଖଣ୍ଡ ଭୋଟ ବ୍ୟବଧାନରେ ଆଗରେ ରହିଛନ୍ତି।

ଏହି ରାଉଣ୍ଡରେ ବିଜେଡିକୁ ୧୦୪,୧୮୩, ବିଜେପିକୁ ୬,୮୮୮୭ ଓ କଂଗ୍ରେସକୁ ୩୭୧୦ ଖଣ୍ଡ ଭୋଟ ମିଳିଛି। ୧୯ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୯୮,୯୧୭ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୬୫,୩୨୧ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୩,୦୫୯ ଖଣ୍ଡ ଭୋଟ ମିଳିଥିଲା।

ପଦ୍ମପୁର ବିଜୟ ପାଇଁ ବିଜେପି ଏବଂ ବିଜେଡି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ବିଜେପି ପ୍ରାର୍ଥୀ ପ୍ରଦୀପ ପୂରୋହିତ ୧୦ ହଜାର ଭୋଟ ବ୍ୟବଧାନରେ ବିଜୟ ହାସଲ କରିବେ ବୋଲି ପୂର୍ବରୁ କହୁଥିବାବେଳେ ବହୁ ମାତ୍ରା ଭୋଟରେ ବିଜେଡି ପଦ୍ମପୁର ଉପନିର୍ବାଚନରେ ଜିତିବ ବୋଲି ଦାବି କରିଥିଲା ବିଜେଡି।

ଗଣତିର ପ୍ରଥମ ରାଉଣ୍ଡରୁ ବିଜେଡି ପ୍ରାର୍ଥୀ ଆଗରେ ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ସ୍ଥିତି ବିଜୟ ରଖି ୩୫ ହଜାରରୁ ଅଧିକ ଭୋଟରେ ଆଗରେ ରହିଛନ୍ତି। ମୋଟ ୨୩ଟି ରାଉଣ୍ଡରେ ସରିବ ଗଣତି କାର୍ଯ୍ୟ। ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କର ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଛି। ଏହାକୁ ନେଇ ଏବେ ବିଜେଡି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ।

ଏବେଠାରୁ ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ପଦ୍ମପୁର ବିଜୟକୁ ନେଇ ବିଜେଡି ନେତା ଏବଂ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି।

Tags: #Politics #OdishaPolitics #PadampurPolitics #PadampurByElection #BJP #BJD #Congress #Result #VoteCounting #Celebration

Comment