ଓଡ଼ିଶାଲାଇଭ୍ ବ୍ୟୁରୋ

 ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଧର୍ମପତ୍ନୀଙ୍କ ନାଁରେ ଟଙ୍କା ଠକେଇ ଅଭିଯୋଗ। ଏନେଇ ଖବର ପ୍ରକାଶ ପରେ ମୁହଁ ଖୋଲିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ନିଜ ଉପରେ ହୋଇଥିବା ଅଭିଯୋଗର ଉତ୍ତର ରଖିଛନ୍ତି।

 

“୨୦୨୦ ମସିହା ପରଠାରୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ମୋ ନାଁରେ ମିଥ୍ୟା ଅଭିଯୋଗ ଆଣି ଓ ଷଡ଼ଯନ୍ତ୍ର କରି ମୋତେ ଦବେଇ ଦେବାକୁ ପ୍ରୟାସ କରାଯାଉଛି। ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ମୋର ବିଶ୍ଵାସ ରହିଛି ଓ ଯେତେ ବାଧାବିଘ୍ନ ଆସିଲେ ବି ମୁଁ କେବେ ହାରି ନାହିଁ କି କେବେ ହାରିବି ନାହିଁ”, କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ।

ସେ ଆହୁରି ମଧ୍ୟ କହିଛନ୍ତି, “କୌଣସି ସତ୍ୟତା ନଥାଇ ଯେପରି ଭାବରେ ଖବର ପରିବେଷଣ କରାଯାଇଛି ବାସ୍ତବରେ ତାହା ଦୂର୍ଭାଗ୍ୟଜନକ। ମୋ ନାଁରେ ଯେଉଁ ସବୁ ଅଭିଯୋଗ ଆସୁଛି, ମାନସିକ ଭାବରେ ମୋତେ ତାହା ଖୁବ୍ଧ କରିଛି। ଯେଉଁମାନେ ଚକ୍ରାନ୍ତ କରି ମୋ ବିରୋଧରେ ଏତେ ଘୃଣ୍ୟ ଅଭିଯୋଗ ଆଣିଛନ୍ତି ସେମାନଙ୍କ ବିରୋଧରେ ମୁଁ ଆଇନର ଦ୍ଵାରସ୍ଥ ହେବି।”

ଅନ୍ୟପଟେ ଟଙ୍କା ଠକେଇ ମାମଲାରେ ତଦନ୍ତ ପାଇଁ ଭୁବନେଶ୍ଵର ଡିସିପି ପ୍ରତୀକ ସିଂହଙ୍କୁ ଭେଟିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଡିସିପିଙ୍କୁ ଭେଟି ସେ କହିଛନ୍ତି, “ଏକ ଅଜଣା ଆକାଉଣ୍ଟରୁ ୩୦ ହଜାର ଟଙ୍କା ଆସିଥିଲା। ଏହା ସେ ବ୍ୟାଙ୍କକୁ ଜଣାଇଥିଲେ। ବ୍ୟାଙ୍କ ମାଧ୍ୟମରେ ଉକ୍ତ ଟଙ୍କା ସଂପୃକ୍ତ ଆକାଉଣ୍ଟକୁ ଫେରସ୍ତ କରାଯାଇଥିଲା। କଲ୍ୟାଣୀ କିଏ ସେ ଜାଣି ନାହାନ୍ତି କି କେବେ ଦେଖି ନାହାନ୍ତି। ବର୍ଷାଙ୍କ ସଫେଇ ପରେ ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି।

Tags: #VarshaPriyadarshini #FraudAllegation #SocialMediaPost #Bhubaneswar #BankTransaction #DCPBhubaneswar

Comment