ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପଦ୍ମପୁର ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହୋଇଛି। ଏଥିପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦ୍ମପୁରର ଜନସାଧାରଣ ଏବଂ ବିଜେଡିର କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପ୍ରଚାର ସମୟରେ ବିଜେପି ପଚାରିଥିବା ପ୍ରଶ୍ନର ଗୋଟି ଗୋଟି ଉତ୍ତର ନବୀନ ଦେଇଛନ୍ତି।

ପଦ୍ମପୁର ପ୍ରଚାର ମଇଦାନରୁ ବିଜେପିର ନେତାମାନେ ସିଧାସଳଖ ବିଜେଡି ଏବଂ ନବୀନଙ୍କୁ ଟାର୍ଗେଟ କରିଥିଲେ। ସେମାନେ ପ୍ରଶ୍ନ କରିଥିଲେ ଯେ, ଦୁଇ ବର୍ଷ ହେଲା ନବୀନ କୁଆଡେ ଯାଉ ନଥିଲେ। ହେଲେ ପଦ୍ମପୁରକୁ କାହିଁକି ପ୍ରଚାର କରିବାକୁ ଆସିଲେ?

ଫଳାଫଳ ବାହାରିବା ଦିନ ନବୀନ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ‘‘ବର୍ଷା ସିଂ ବରିହା ତାଙ୍କ ବାପାଙ୍କୁ ହରାଇଛନ୍ତି। ତେଣୁ ମୁଁ ଜଣେ ବାପା, ଭାଇ ଏବଂ ବନ୍ଧୁ ଭଳି ସାହସ ଦେବା ଲାଗି ତାଙ୍କ ପାଖରେ ଛିଡ଼ା ହୋଇଥିଲି।’’

‘‘ବାପାଙ୍କୁ ହରାଇଥିବା ଜଣେ ମହିଳାଙ୍କୁ ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନିତ କରିଥିଲେ। ଏହା ମତେ ଦୁଃଖ ଦେଇଥିଲା। ଏହା କେବଳ ମତେ ନୁହେଁ, ରାଜ୍ୟର ସବୁ ମହିଳାମାନଙ୍କୁ ଦୁଃଖ ଦେଇଛି। ନିର୍ବାଚନରେ ହାରିବା ଏବଂ ଜିତିବା ଅଲଗା କଥା। କିନ୍ତୁ ଜଣେ ମହିଳାଙ୍କୁ ଏଭଳି ଭାବେ ଅପମାନିତ କରିବା ଅତି ନିନ୍ଦନୀୟ। ସେଥିପାଇଁ ମୁଁ ପଦ୍ମପୁର ଯାଇ ବର୍ଷା ସିଂ ବରିହାଙ୍କ ପାଖରେ ଛିଡ଼ା ହୋଇଥିଲି’’, ଉପନିର୍ବାଚନରେ ଜିତିବା ପରେ ବିରୋଧୀଙ୍କୁ ଏଭଳି କହିଛନ୍ତି ନବୀନ।

ବିଜେପିକୁ କଡ଼ା ଜବାବ ଦେଇ ନବୀନ ଆହୁରି କହିଛନ୍ତି ଯେ, ରାଜନୀତି କରିବା ବାହାନରେ ମହିଳାମାନଙ୍କୁ ଅସମ୍ମାନିତ କରିବା ଘଟଣାକୁ ଓଡ଼ିଶାବାସୀ କେବେ ସମର୍ଥନ କରିବେ ନାହିଁ।

‘‘ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀମାନେ ଆସି ପଦ୍ମପୁରବାସୀଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କଲେ। କେନ୍ଦୁପତ୍ରରେ ଜିଏସଟି, ଆବାସ ଯୋଜନା, ଫସଲ ବୀମା, ରେଳ ସଂଯୋଗୀକରଣ ଆଦି ବିଷୟରେ କେନ୍ଦ୍ରମନ୍ତ୍ରୀମାନେ ଯାହା କହିଥିଲେ ତାହା ଦୁର୍ଭାଗ୍ୟଜନକ’’, କହିଛନ୍ତି ନବୀନ।

ଧାମନଗର ପରେ ପଦ୍ମପୁର ଉପନିର୍ବାଚନରେ ଦମ୍‌ ଦେଖାଇଥିଲେ ସବୁ ରାଜନୈତିକ ଦଳ। ବିଶେଷକରି ବିଜେଡି ଏବଂ ବିଜେପି ଭିତରେ କଡ଼ା ଲଢ଼େଇ ଦେଖିବାକୁ ମିଳିଥିଲା। ବିଜେପି ପକ୍ଷରୁ ୪ କେନ୍ଦ୍ରମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ଅଶ୍ଵିନୀ ବୈଷ୍ଣବ ଏବଂ ନରେନ୍ଦ୍ର ସିଂ ତୋମାର ପ୍ରଚାର କରିଥିଲେ। ବିଜେଡି ପ୍ରାର୍ଥୀଙ୍କ ପାଇଁ ନବୀନ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତାମାନେ ପ୍ରଚାର କରି ରାଜନୀତି ପାଣିପାଗକୁ ଗରମ କରିଥିଲେ।

Tags: #PdampurByElection #BJD #NaveenPatnaik #BijuJanataDal #BJP #OdishaElection

LEAVE A REPLY

Please enter your comment!
Please enter your name here