ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜେଡିର ଅଦ୍ଭୁତପୂର୍ବ ବିଜୟ ପରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିଜୟ ପଦ୍ମପୁରବାସୀଙ୍କର ବିଜୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଦଳର ଏହି ସଫଳତା ପାଇଁ ଦଳୀୟ ନେତା ଏବଂ କର୍ମୀଙ୍କ ସହଯୋଗକୁ ଶ୍ରେୟ ଦେବା ସହ ବିରୋଧୀଙ୍କୁ ସିଧା ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ରାଜନୀତି ବାହାନାରେ ମହିଳାଙ୍କୁ ଅସମ୍ମାନ କରିବା ନିଶ୍ଚିତ ଭାବେ ଏକ ନିନ୍ଦନୀୟ କଥା। ଏହାକୁ ଓଡ଼ିଶାବାସୀ ଆଦୌ ସମର୍ଥନ କରିବେ ନାହିଁ। ବିଜେପିର ଯେଉଁ କେତେଜଣ ନେତା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଭିନ୍ନ ଆକ୍ଷେପ କରିବା ସହ ଅସମ୍ମାନ କଲେ ତାହା ମୋତେ ଅତ୍ୟନ୍ତ ଦୁଃଖିତ କରିଛି। ଏହା କେବଳ ବର୍ଷାଙ୍କୁ ଅସମ୍ମାନ ନୁହେଁ, ସାରା ଓଡ଼ିଶାର ମହିଳାମାନଙ୍କ ଅସମ୍ମାନ ଏବଂ ଦୁଃଖର ବିଷୟ।”

ପଞ୍ଚାୟତ ନିର୍ବାଚନ ଏବଂ ବିଭିନ୍ନ ଉପନିର୍ବାଚନ ସମୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ଯାଉନଥିବାବେଳେ ପଦ୍ମପୁର ଉପନିର୍ବାଚନରେ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହୋଇଥିଲା।

ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ବିଜେପିର କିଛି ନେତୃବୃନ୍ଦ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଅପମାନିତ କଲେ। ଜଣେ ଉଚ୍ଚ ଶିକ୍ଷିତା ଏବଂ ନିକଟରେ ପିତାଙ୍କୁ ହରାଇଥିବା ଝିଅକୁ ଅସମ୍ମାନ କଲେ। ତେଣୁ ମୁଁ ନିଷ୍ପତ୍ତି ନେଇଥିଲି ବର୍ଷାଙ୍କ ପାଖରେ ଛିଡ଼ା ହେବାକୁ। ଜଣେ ବାପା ହିସାବରେ, ଜଣେ ଭାଇ ହିସାବରେ ଏବଂ ଜଣେ ବନ୍ଧୁ ହିସାବରେ ମୁଁ ବର୍ଷାଙ୍କୁ ସମର୍ଥନ କରିବାକୁ ଯାଇଥିଲି।”

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୀତିରେ ହାରିବା ଏବଂ ଜିତିବା ଅଲଗା କଥା। କିନ୍ତୁ ଜଣେ ମହିଳାଙ୍କୁ ଅସମ୍ମାନ କରିବା ଉଚିତ ନୁହେଁ। ମୁଖ୍ୟମନ୍ତ୍ରୀ ସିଧା ବିଜେପିର କିଛି ନେତାଙ୍କୁ ଇଙ୍ଗିତ କରି କହିଛନ୍ତି ଯେ, ଦୟା କରି ମହିଳାଙ୍କୁ ଅସମ୍ମାନ କରନ୍ତୁ ନାହିଁ, ଏହାକୁ ରାଜ୍ୟବାସୀ ସମର୍ଥନ କରିବେ ନାହିଁ।

କେତେଜଣ କେନ୍ଦ୍ରମନ୍ତ୍ରୀ ପଦ୍ମୁପୁରବାସୀ ଏବଂ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କଲେ। ଆବାସ ଯୋଜନା, କେନ୍ଦୁପତ୍ର ଉପରେ ଜିଏସଟି ଏବଂ ରେଳପ୍ରକଳ୍ପ ଆଦିକୁ ନେଇ ମିଛ କହିବା ଏବଂ ଲୋକଙ୍କୁ ଭୂଆଁ ବୁଲେଇବା ଠିକ୍ କଥା ନୁହେଁ ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆପଣ କେନ୍ଦ୍ରରେ ଅଛନ୍ତି ଏବଂ ଆମେ ରାଜ୍ୟରେ ଅଛୁ, ମିଳିମିଶି ଲୋକଙ୍କ ପାଇଁ କାମ କରିବା। ଓଡ଼ିଶାର ଉନ୍ନତି ପାଇଁ କାମ କରିବାର ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ପଦ୍ମୁପୁର ଉପନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବିଜେପିର କିଛି ନେତା ବର୍ଷାଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରିଥିଲେ। ଏପରିକି ବର୍ଷା ପଦ୍ମପୁର ମାଟିର ନୁହଁନ୍ତି ବରଂ ପୁରୀ ଜିଲ୍ଲା ସତ୍ୟବାଦୀର ବୋହୁ ବୋଲି ଆକ୍ଷେପ କରାଯାଇଥିଲା। ବାହା ହୋଇଯାଇଥିବା ଝିଅ ବାପ ଘର ମାଟିର ନୁହେଁ ବୋଲି ମଧ୍ୟ କୁହାଯାଇଥିଲା। ବର୍ଷାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ବିଜେପିକୁ ପଦ୍ମପୁରରେ ମହଙ୍ଗା ପଡ଼ିଲା ବୋଲି ମଧ୍ୟ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #CMOdisha #NaveenPatnaik #PadampurByElection #BarsaSinghBariha

Comment