ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ଏବଂ ଶିଶୁମାନଙ୍କ ବିରୋଧରେ ଦେଖାଯାଉଥିବା ବିଭିନ୍ନ ହିଂସା ନିୟନ୍ତ୍ରଣ କରିବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏନେଇ ରହିଥିବା ବିଭିନ୍ନ ଆଇନ ବିଷୟରେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ସୁନ୍ଦରଗଡ଼ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା।

ରାଜ୍ୟ ମହିଳା ଆୟୋଗ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଆନୁକୂଲ୍ୟରେ ସ୍ଥାନୀୟ ବିକାଶ ଭବନଠାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡକ୍ଟର ମିନତି ବେହେରା ଯୋଗଦେଇ ବାଲ୍ୟ ବିବାହ, ଯୌନ ଶୋଷଣ ଏବଂ ଘରୋଇ ହିଂସା ଆଦି ରୋକିବା ଉପରେ ଗୁରୁତ୍ୱ ଦେଇଥିଲେ।

‘‘ମହିଳାମାନେ ଆଜି ସବୁ କ୍ଷେତ୍ରରେ ଆଗୁଆ ଅଛନ୍ତି। ସେମାନଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ତେଣୁ ମହିଳାମାନେ ସେମାନଙ୍କ ଅଧିକାର ବିଷୟରେ ଜାଣିବା ନିହାତି ଦରକାର। ଏ ବିଷୟରେ ମହିଳାମାନଙ୍କୁ ସଚେତନ କରିବାର ଆବଶ୍ୟତା ରହିଛି। ଏଥିପାଇଁ ସମସ୍ତେ ସହଯୋଗ କରିବାକୁ ଆଗେଇ ଆସିବା ଉଚିତ’’, କହିଛନ୍ତି ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡକ୍ଟର ମିନତି ମହାପାତ୍ର।

ଗାଁ ଗାଁରେ ରହୁଥିବା ମହିଳାମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଜଣାଇବା ଦିଗରେ ଆଶା ଓ ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ କଲେଜ ଛାତ୍ରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ତେଣୁ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ବ୍ୟାପକ ଭାବେ ସଚେତନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୦ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା।

ଏହାପରେ ବିକାଶଭବନଠାରେ ମାନବ ଚାଲାଣ ନିରୋଧ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବ୍ଲକର ସିଡିପିଓଙ୍କ ସହ ଆଇସିଡିଏସ୍ ସୁପରଭାଇଜରମାନେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି ଦୁଇ ପ୍ରମୁଖ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ସୁନ୍ଦରଗଡ଼ ଏସପି ସାଗରିକା ନାଥ, ଓଡ଼ିଶା ରାଜ୍ୟ ମହିଳା ଆୟୋଗର ପରାମର୍ଶଦାତା ଏନ୍ ଟୁନା ସାହୁ, ପୂର୍ବତନ ବରିଷ୍ଠ କ୍ଷେତ୍ର ଅଧିକାରୀ ବିଜୟା ବରୁଆ, ଲିଗାଲ ଆସିଷ୍ଟାଣ୍ଟ ଅରବିନ୍ଦ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭଶ୍ରୀ ପ୍ରଧାନ, ମାନବ ଚାଲାଣ ନିରୋଧ ୟୁନିଟର ଡିଏସପି ପ୍ରଭାତ କୁମାର ବିଶ୍ୱାଳ, ସୁରକ୍ଷା ଅଧିକାରୀ ଚୁଲେଶ୍ୱରୀ ପଟେଲ ଏବଂ ଶିଶୁ ସୁରକ୍ଷା ଅଧିକାରୀ ମିନାକ୍ଷୀ ପଟେଲ, ଆକ୍ସନ ଏଡର ଜିଲ୍ଲା ସଂଯୋଜିକା ମିନାକ୍ଷୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Tags: #Sundargarh #LawAwarenessProgram #SundargarhAdministration #VoilanceAgaisntWomen&Children

Comment