ଓଡ଼ିଶାଲାଇଭ୍ ବ୍ୟୁରୋ

ହିମାଚଳ ପ୍ରଦେଶରେ ସରକାର ଗଢ଼ିବ କଂଗ୍ରେସ। ତେବେ କିଏ ହେବେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ତାକୁ ନେଇ ଚାଲିଛି ଚର୍ଚ୍ଚା। ଏହି ରେସରେ ରହିଛନ୍ତି ପ୍ରତିଭା ସିଂ, ସୁଖବିନ୍ଦର ସିଂ ଏବଂ ମୁକେଶ ଅଗ୍ନିହୋତ୍ରୀ।

ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଢ଼ିବାକୁ ଯାଉଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଚାଲିଛି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ରେସରେ ତିନିଜଣ ପ୍ରତିଭା ସିଂ, ସୁଖବିନ୍ଦର ସିଂ ଏବଂ ମୁକେଶ ଅଗ୍ନିହୋତ୍ରୀ ରହିଥିବାବେଳେ କାହା ଉପରେ ଦଳ ମୋହର ମାରିବ ତାକୁ ନେଇ ବଢ଼ିଛି ଆଶଙ୍କା।

ମୁଖ୍ୟତଃ ପ୍ରତିଭା ସିଂ, ସୁଖବିନ୍ଦର ସିଂ ଏବଂ ମୁକେଶ ଅଗ୍ନିହୋତ୍ରୀଙ୍କ ନାଁ ଚର୍ଚ୍ଚା ହେଉଥିବାବେଳେ ଆହୁରି ୪ ଜଣ ମୁଖ୍ୟମନ୍ତ୍ରୀ ପାଇଁ ଆଶାୟୀ ଥିବା କୁହାଯାଉଛି। ଏହାରି ମଧ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ଦ୍ଵନ୍ଦ୍ଵରେ ରହିଛି ଦଳ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ନିର୍ବାଚନ ସମୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଚେହେରା ପ୍ରୋଜେକ୍ଟ କରିନଥିଲା। ଯାହାକୁ ନେଇ ବିଜେପିର କିଛି କେନ୍ଦ୍ରୀୟ ନେତା ଉପହାସ କରିଥିଲେ। ନିର୍ବାଚନରେ ପ୍ରଚାରର ନେତୃତ୍ଵ ନେଇଥିଲେ ପ୍ରିୟଙ୍କା ଗାନ୍ଧୀ।

ପ୍ରତିଭା ସିଂ

ପ୍ରତିଭା ସିଂ ହେଉଛନ୍ତି ହିମାଚଳ ପ୍ରଦେଶର କଂଗ୍ରେସ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବୀରଭଦ୍ର ସିଂଙ୍କର ପତ୍ନୀ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରେସରେ ରହିଛନ୍ତି ବୋଲି ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କହିଥିଲେ ପ୍ରତିଭା ସିଂ। ୨୦୦୪ ମସିହାରେ ପ୍ରତିଭା ସିଂ ହିମାଚଳ ପ୍ରଦେଶର ମାଣ୍ଡି ଆସନରୁ ପ୍ରଥମ ଥର ଲୋକସଭା ନିର୍ବାଚନ ଜିତିଥିଲେ। ୨୦୧୩ ମସହା ଉପନିର୍ବାଚନରେ ଜୟରାମ ଠାକୁରଙ୍କୁ ହରାଇ ଥିଲେ। ବିଜେପିର ରାମ ସ୍ଵରୂପ ଶର୍ମାଙ୍କ ପରଲୋକ ପରେ ପ୍ରତିଭା ସିଂ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ସୁଖବିନ୍ଦର ସିଂ

ପ୍ରତିଭା ସିଂଙ୍କ ବ୍ୟତୀତ ସୁଖବିନ୍ଦର ସିଂ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ରହିଛନ୍ତି। ପୂର୍ବରୁ ସେ କଂଗ୍ରେସର ରାଜ୍ୟ ସଭାପତି ରହିବା ସହ ନିର୍ବାଚନୀ ପ୍ରଚାର କମିଟି ମୁଖ୍ୟ ଭାବେ ଦାୟିତ୍ଵ ତୁଲାଇଛନ୍ତି। ସୁଖବିନ୍ଦର ସିଂଙ୍କର ରାହୁଲ ଗାନ୍ଧୀଙ୍କ ସହ ଖୁବ ଭଲ ସମ୍ପର୍କ ରହିଛି। ସୁଖବିନ୍ଦରଙ୍କୁ ରାହୁଲଙ୍କ ପାଖ ଲୋକ ବୋଲି କୁହାଯାଏ। ସେଥିପାଇଁ ତ ରାଜ୍ୟରେ ବୀରଭଦ୍ର ସିଂଙ୍କ ବିରୋଧ ସତ୍ଵେ ରାଜ୍ୟର କମାଣ ସମ୍ଭାଳିଥିଲେ ସୁଖବିନ୍ଦର।

ମୁକେଶ ଅଗ୍ନିହୋତ୍ରୀ

ମୁକେଶ ଅଗ୍ନିହୋତ୍ରୀ ବିରୋଧୀ ଦଳର ନେତା ହୋଇଥିବାବେଳେ ସେ ଦକ୍ଷିଣ-ପଶ୍ଚିମ ହିମାଚଳର ହାରୋଲି ଆସନରୁ ନିର୍ବାଚନ ଲଢ଼ିଥିଲେ। ଚାରି ଚରି ଥର ବିଧାୟକ ଥିବା ମୁକେଶଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ସାନ୍ତୋକଗଡ଼ରେ ୨୦୦୩ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ଜିତିଥିଲେ ମୁକେଶ ଅଗ୍ନିହୋତ୍ରୀ। ୨୦୧୭ ମସିହାରେ ବିଧାନସଭା ନିର୍ବାଚନ ପରେ ସେ କଂଗ୍ରେସ ବିଧାୟକ ଦଳର ନେତା ହୋଇଥିଲେ।

କୁହାଯାଉଛି ଯଦି ପ୍ରତିଭା ସିଂଙ୍କ ନାଁରେ ମୋହର ନଲାଗେ ତେବେ ସେ ମୁକେଶ ଅଗ୍ନିହୋତ୍ରୀଙ୍କୁ ସମର୍ଥନ କରିବେ। କଂଗ୍ରେସ ସଭାପତି ନିର୍ବାଚନ ସମୟରେ ଯେଉଁଭଳି ଭାବେ ଦଳୀୟ କନ୍ଦଳ ଦେଖାଦେଇଥିଲା, ତାକୁ ଦେଖିଲେ ବର୍ତ୍ତମାନ ଏକାଧିକ ମୁଖ୍ୟମନ୍ତ୍ରୀ ଆଶାୟୀଙ୍କୁ ନେଇ ଚିନ୍ତାରେ ପଡ଼ିଛନ୍ତି ଦଳ ମୁଖ୍ୟ। ଶେଷ ପର୍ଯ୍ୟାୟରେ ଦଳ ସରପ୍ରାଇଜ କାର୍ଡ ଖେଳିପାରେ ବୋଲି ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #IndianPolitics #HimachalPrades #CMCandidate #Congress

Comment