ଓଡ଼ିଶାଲାଇଭ୍ ବ୍ୟୁରୋ
- ଇଫୁଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ
- ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେଲେ ଇଫୁ
ଡାକ୍ତର ହେବେ କନ୍ଧମାଳର ମେଧାବୀ ଛାତ୍ର ଇଫୁ ମଲ୍ଲିକ। ତାଙ୍କ ସ୍ଵପ୍ନ ପୂରଣ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଦାୟିତ୍ଵ। ଡାକ୍ତରୀ ପାଠପଢ଼ିବାକୁ ପ୍ରତିବନ୍ଧକ ସାଜିଥିଲା ଦାରିଦ୍ର୍ୟତା, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଯାଉଛନ୍ତି ଇଫୁ। କନ୍ଧମାଳ ଜିଲ୍ଲାରୁ ଧାଇଁ ଆସିଛନ୍ତି ରାଜଧାନୀ ଭୁବନେଶ୍ଵର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ପାଇଁ।
ଇଫୁ ମଲ୍ଲିକ ଶୁକ୍ରବାର ଦିନ ନବୀନ ନୀବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ତାଙ୍କ ସ୍ଵପ୍ନ ପୂରଣ ପାଇଁ ଦାୟିତ୍ଵ ନେଇଥିବାରୁ କୃତଜ୍ଞତା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଇଫୁଙ୍କୁ ଆଶୀର୍ବାଦ କରିବା ସହ ବହି ଏବଂ ମୋବାଇଲ ଉପହାର ଦେଇଥିଲେ। ଦୀର୍ଘ ସମୟ ଧରି ନିଜ ସଂଘର୍ଷ ଏବଂ ପାଢ଼ପଢ଼ା ସମ୍ପର୍କ କଥା ହେବା ସହ ଇଫୁ ମୁଖ୍ୟମନ୍ତ୍ରୀଙ୍କ ସହିତ ସେଲଫି ନେଇଥିଲେ।
ଇଫୁଙ୍କୁ ସାକ୍ଷାତ କରିବା ପରେ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ କହିଛନ୍ତି, “କନ୍ଧମାଳର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ଭେଟିଲି। ତାଙ୍କ ଉଚ୍ଚଭିଳାଷ ଓ ପାଠ ପଢ଼ିବାର ପ୍ରତିବଦ୍ଧତା ବିଷୟରେ ଜାଣି ବହୁତ ଖୁସି ହେଲି। ବାସ୍ତବରେ ଲକ୍ଷ୍ୟ ସ୍ଥିର ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ କିଛି ବି ପ୍ରତିବନ୍ଧକ ସାଜି ନପାରେ। ତାଙ୍କ ଡାକ୍ତର ହେବାର ସ୍ଵପ୍ନ ପୂରଣ ହେବ। ତାଙ୍କରୁ ସଫଳତା ଓ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।”
କନ୍ଧମାଳର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ଭେଟିଲି। ତାଙ୍କ ଉଚ୍ଚାଭିଳାଷ ଓ ପାଠ ପଢିବାର ପ୍ରତିବଦ୍ଧତା ବିଷୟରେ ଜାଣି ବହୁତ ଖୁସି ହେଲି। ବାସ୍ତବରେ ଲକ୍ଷ୍ୟ ସ୍ଥିର ଓ ଦୃଢ଼ ଇଚ୍ଛା ଶକ୍ତି ଥିଲେ କିଛି ବି ପ୍ରତିବନ୍ଧକ ସାଜି ନ ପାରେ। ତାଙ୍କ ଡାକ୍ତର ହେବାର ସ୍ୱପ୍ନ ପୂରଣ ହେବ। ତାଙ୍କର ଆହୁରି ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। pic.twitter.com/T4eLC4UC6V
— Naveen Patnaik (@Naveen_Odisha) December 10, 2022
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ମେଧାବୀ ଛାତ୍ର ଇଫୁ ମଲ୍ଲିକ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍ବିବିଏସ୍ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସ୍ଵପ୍ନକୁ ସାକାର କରିବାକୁ ନିଷ୍ଠା ଓ ପରିଶ୍ରମ ତାଙ୍କୁ ବାଟ କଢ଼େଇ ନେଉଛି ସତ ମାତ୍ର ଅଭାବ ଓ ଦାରିଦ୍ର୍ୟତା ସ୍ଵପ୍ନରେ ବାଡ଼ ହୋଇ ଛିଡ଼ା ହେଲା। ଡାକ୍ତର ହେବାର ସ୍ଵପ୍ନ ପୂରଣ ପାଇଁ ବିଲରେ ଖଟୁଥିବା ଇଫୁଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଇଫୁଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଗ୍ରାମିଲା ଗାଁରେ। ଇଫୁଙ୍କ ବାପା ଅତି ଗରିବ ହୋଇଥିବାବେଳେ ସେ ହଷ୍ଟେଲ୍ ଏବଂ ଅନ୍ୟାନ୍ୟ ପାଠପଢା ଖର୍ଚ୍ଚ ପାଇଁ କ୍ଷେତରେ ଶ୍ରମିକଭାବେ କାମ କରୁଥିଲେ। ଇଫୁ ଧାନବିଲରେ ଧାନ କାଟୁଥିବାର ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଇଫୁ ମଲ୍ଲିକଙ୍କ ଆର୍ଥିକ ସମସ୍ୟା ବିଷୟରେ ଜାଣିବା ପରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ତ୍ଵରିତ ପଦକ୍ଷେପ ନେଇଛି। ଇଫୁଙ୍କ ପ୍ରଥମ ବର୍ଷ ପାଠପଢ଼ା ଖର୍ଚ୍ଚ ପାଇଁ ୬୨,୯୫୦ ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର।
ଏହା ପୂର୍ବରୁ ଇଫୁ ମଲ୍ଲିକଙ୍କ ଡାକ୍ତରୀ ପାଠପଢା ଖର୍ଚ୍ଚ ପାଇଁ କିସ୍ ଫାଉଣ୍ଡେସନ୍ ସହାୟତା ଦେବା ନେଇ ପୂର୍ବରୁ ଘୋଷଣା କରିଛି। ଇଫୁଙ୍କୁ ଆବଶ୍ୟକ ଥିବା ସହାୟତା ସଂପର୍କରେ କିଟ୍, କିସ୍ ଓ କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ। ଇଫୁଙ୍କ ଆର୍ଥିକ ଅନାଟନ ସମ୍ପର୍କରେ ଜାଣିବା ପରେ କିସ୍ ଫାଉଣ୍ଡେସନ୍ ପକ୍ଷରୁ ତାଙ୍କର ଡାକ୍ତରୀ ପାଠପଢା ଖର୍ଚ୍ଚ ବହନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ। ରାଜ୍ୟ ସରକାର ଓ କିସ୍ ଫାଉଣ୍ଡେସନ୍ ପକ୍ଷରୁ ଇଫୁ ଭଳି ଜଣେ ଗରିବ ମେଧାବୀ ଛାତ୍ରଙ୍କୁ ସହାୟତାର ହାତ ବଢ଼ାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
Tags: #IfuMallick #MedicalStudy #CMO #NaveenPatnaik #FinancialAid #MBBSStudy #Kandhamal #ScholarStudent #Odisha