ଓଡ଼ିଶାଲାଇଭ୍ ବ୍ୟୁରୋ

ସିନେମା, ଥିଏଟର ଯିବା ବଦଳରେ ଲୋକେ ଏବେ ମନୋରଞ୍ଜନ ପାଇଁ ସୋସିଆଲ୍ ମିଡ଼ିଆକୁ ବାଛି ନେଇଛନ୍ତି। ସୋସିଆଲ ମିଡିଆର ବହୁଳ ବ୍ୟବହାର ସତ୍ତ୍ଵେ ଲୋକେ ‘ଧନୁଯାତ୍ରା’କୁ ଭୁଲି ନାହାନ୍ତି

ପ୍ରତିବର୍ଷ ଯୋଡ଼ି ହେଉଛନ୍ତି ଲକ୍ଷ ଲକ୍ଷ ଦର୍ଶକ

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ୧୧ ଦିନ ଧରି ଚାଲେ। ମଥୁରା ନରେସ କଂସ ମହାରାଜା ଏବଂ ଶ୍ରୀ କୃଷ୍ଣଙ୍କ କଥାବସ୍ତୁକୁ ନେଇ ଚାଲେ ନାଟକ। ଏହି ନାଟକରେ ବହୁ କଳାକାର ଅଭିନୟ କରନ୍ତି। ଆଧୁନିକତାର ଛାପ ବାଜିଥିଲେ ମଧ୍ୟ ଧନୁଯାତ୍ରା ତା’ର ଆଦର ହରାଇ ନାହିଁ। ଏହି ନାଟକ ଦେଖିବା ପାଇଁ ପ୍ରତିବର୍ଷ ରାଜ୍ୟ ତଥା ବାହାରୁ ବରଗଡ଼ରେ ଦର୍ଶକଙ୍କ ଭିଡ଼ ଜମେ। ଧନୁଯାତ୍ରା ନାଟକରେ ନିଜକୁ ହଜାଇ ଦିଅନ୍ତି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ। ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଧନୁଯାତ୍ରା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ସହ ଯୋଡ଼ି ହୋଇ ରହିଛି।

ବରଗଡ଼ ଧନୁଯାତ୍ରା ନାଟ୍ୟ କଳା-ନାଟ୍ୟ କଳାକାର-ନାଟ୍ୟ ପ୍ରେମୀଙ୍କୁ ନେଇ ଏକ ତ୍ରିବେଣୀ ସଙ୍ଗମ ସୃଷ୍ଟି କରିପାରିଛି କହିଲେ ଭୁଲ୍‌ ହେବ ନାହିଁ। ଧନୁଯାତ୍ରା ଜଣେ ଅଭିନେତାକୁ କେତେ ପ୍ରାପ୍ୟ ଦେଉଛି ତାହା ଏକ ଭିନ୍ନ ପ୍ରସଙ୍ଗ। ହେଲେ ଏଠାରେ ଯେଉଁ ସମ୍ମାନ ମିଳେ ତାହା ଜଣେ କଳାକାର ପାଇଁ ଗୌରବର ବିଷୟ। ଏହି ସମ୍ମାନ ପାଇବା ପାଇଁ ଧନୁଯାତ୍ରାରେ କଳାକାରଙ୍କ ଭିଡ଼ ଜମେ।

ସଂସ୍କୃତି-ପରମ୍ପରାକୁ ବଞ୍ଚାଇ ରଖିଛି ଧନୁଯାତ୍ରା

ପୌରାଣିକ ବିଷୟବସ୍ତୁକୁ ନେଇ ବିଭିନ୍ନ ଟିଭି ଚ୍ୟାନେଲରେ ‘ରିଆଲିଟି ସୋ’ର ଆୟୋଜନ କରାଯାଇଥାଏ। ଦେଖିବାକୁ ମିଳେ ଯେ, ଅନେକ ପ୍ରତିଯୋଗୀ ପୌରାଣିକ ପ୍ରସଙ୍ଗ ଆଧାରିତ ପ୍ରଶ୍ନରେ ପ୍ରାୟ ନୀରବ ରୁହନ୍ତି। ଆଧୁନିକତା ସମଗ୍ର ପୃଥିବୀକୁ ଏମିତି କବ୍ଜା କରି ନେଉଛି ଯେ, ପୁରାଣ, ଇତିହାସ, ପରମ୍ପରା ଓ ସଂସ୍କୃତି ଅଣନିଶ୍ୱାସୀ ହୋଇ ଉଠୁଛନ୍ତି। ଏହା ନିଶ୍ଚିହ୍ନ ହେବାକୁ ବସିଥିବାବେଳେ ବରଗଡ଼ ଧନୁଯାତ୍ରା ଏହାକୁ ବଞ୍ଚାଇ ରଖିଛି। ୭୪ ବର୍ଷ ଧରି ଏକ ପୌରାଣିକ ନାଟ୍ୟଧାରାର କଳେବର ବୃଦ୍ଧି ପାଇ ଚାଲିଛି। ଏହା ପୃଥିବୀର ନାଟକ ଇତିହାସରେ ଏକ ବିରଳ ଘଟଣା ପରି ମନେହୁଏ। ଚଳିତ ବର୍ଷ ୭୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏଥର ହୀରକ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି।

ସ୍ଥାନୀୟ ଦର୍ଶକଙ୍କ ମହଲରେ ସୀମିତ ରହିନି ଧନୁଯାତ୍ରା

ବରଗଡ଼ ଧନୁଯାତ୍ରାର ପ୍ରଚାର ପ୍ରସାର କରାଯାଉଥିବାରୁ ରାଜ୍ୟ ବାହାରୁ ଏବଂ ବିଦେଶରୁ ବହୁ ଦର୍ଶକ ଏଠାକୁ ଆସିଥାନ୍ତି। ‘ମିଡିଆ’ ହିଁ ବରଗଡ଼ ଧନୁଯାତ୍ରାର ପ୍ରଚାର ପ୍ରସାରରେ ଏକ ବିଶେଷ ଭୂମିକା ଗ୍ରହଣ କରିଛି। ଇଲେକ୍ଟ୍ରୋନିକ୍ ମିଡିଆ ଏବଂ ବର୍ତ୍ତମାନର ଡିଜିଟାଲ ମିଡିଆ ଧନୁଯାତ୍ରାର ପ୍ରଚାର ପ୍ରସାର କରୁଥିବାରୁ ବରଗଡ଼ ଧନୁଯାତ୍ରା ପ୍ରସିଦ୍ଧି ଲାଭ କରିଛି। ସେଥିପାଇଁ ଏହି ଯାତ୍ରା ସ୍ଥାନୀୟ ଦର୍ଶକଙ୍କ ମହଲରେ ସୀମିତ ନ ରହି ଦେଶର କୋଣ, ଅନୁକୋଣରୁ ଏବଂ ବିଦେଶରୁ ଅନେକ ଦର୍ଶକଙ୍କୁ ଟାଣି ଆଣୁଛି ବରଗଡ଼ ସହରକୁ ଧନୁଯାତ୍ରା ଦେଖିବା ପାଇଁ।

ଦୀର୍ଘ ବର୍ଷ ଧରି ବଞ୍ଚି ରହିଛି ପରମ୍ପରା

ଧନୁଯାତ୍ରାକୁ ନେଇ ବିରାଟ ଉତ୍ସବର ଆୟୋଜନ କରିବା ପାଇଁ ଯେଉଁମାନେ ପ୍ରଥମେ ପରିକଳ୍ପନା କରିଥିଲେ ସେମାନେ ଥିଲେ ଜଣେ ଜଣେ କିମ୍ବଦନ୍ତୀ ପୁରୁଷ। ଅନ୍ୟପକ୍ଷରେ ସେମାନଙ୍କର ଦାୟାଦ ସାଜି ଯେଉଁମାନେ ବରଗଡ଼ ଧନୁଯାତ୍ରାକୁ ୭୫ ବର୍ଷ ବୟସରେ ପହଞ୍ଚାଇ ପାରିଛନ୍ତି, ସେମାନଙ୍କୁ ଧନ୍ୟବାଦ ଦେବାପାଇଁ ଶବ୍ଦ ନାହିଁ। ଆୟୋଜକ, ନାଟ୍ୟକଳାକାର ଏବଂ ନାଟ୍ୟପ୍ରେମୀମାନଙ୍କ ଭିତରେ ରହିଥିବା ଭଲ ବୁଝାମଣା ହିଁ ଧନୁଯାତ୍ରାର ସଫଳତାକୁ ଦୋହରାଇ ଚାଲିଛି।

ବାସ୍ତବରେ ପୃଥିବୀର କୌଣସି ଅଞ୍ଚଳରେ ଏମିତି ଆୟୋଜନ ଦେଖାଯାଏ ନାହିଁ। ଯଦି ବି କାଁ ଭାଁ କେଉଁଠି ଦେଖିବାକୁ ମିଳେ ତାର ସ୍ଥାୟୀତ୍ଵକୁ ନେଇ ପ୍ରଶ୍ନ ଉଠିଥାଏ। ଯେଉଁ ଶତାବ୍ଦୀରେ ମଙ୍ଗଳ ଗ୍ରହରେ ଘର କରିବାକୁ ଲୋକେ ସ୍ୱପ୍ନ ଦେଖୁଛନ୍ତି, ସେତିକିବେଳେ ପୌରାଣିକ ବିଷୟବସ୍ତୁ, ପୌରାଣିକ ଚରିତ୍ର ଏବଂ ପୌରାଣିକ ନାଟକକୁ ଲୋକେ ଭଲ ପାଇବା ଧନୁଯାତ୍ରାକୁ ସଫଳ କରିଛି। ଏହା ପ୍ରତ୍ୟେକ ଭାରତୀୟ ଓ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ।

Tags: #BargarhDhanujatra #WorldFamousBargarhDhanujatra #Tradition #Culture

LEAVE A REPLY

Please enter your comment!
Please enter your name here