ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ମଝି ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଗୋଟିଏ ସ୍କର୍ପିଓ ଗାଡ଼ି। ହେଲେ ଅଳ୍ପକେ ବଞ୍ଚି ଯାଇଛି ୮ ଜଣ ଯାତ୍ରୀଙ୍କ ଜୀବନ। ବୌଦ୍ଧ ବାଇପାସ୍ ରାସ୍ତାରେ ଏହିଭଳି ଘଟଣା ଦେଖିବାକୁ ମିଳିଛି।

ନାଗପୁର ଅଞ୍ଚଳର ୮ ଜଣ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଥିବା ସମ୍ପର୍କୀୟଙ୍କ ଘରକୁ ଆସି ଫେରୁଥିଲେ। ରବିବାର ସନ୍ଧ୍ୟାରେ ସମସ୍ତେ ଏକ ସ୍କର୍ପିଓ ଯୋଗେ ଯାଉଥିବା ସମୟରେ ବୌଦ୍ଧ ବାଇପାସ ନିକଟରେ ଗାଡ଼ିରୁ ଧୂଆଁ ବାହାରିଥିଲା। ଅଳ୍ପ କିଛି ସମୟ ପରେ ଗାଡ଼ିଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା।

ସ୍ଥାନୀୟ ଲୋକେ ଅଗ୍ନିଶମ ବହିନୀକୁ ଖବର ଦେବା ପରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଗାଡ଼ିରେ ଥିବା ୮ ଜଣ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତୀ ଯାଇଛି। କିନ୍ତୁ ଗାଡ଼ିରେ ଥିବା ସମସ୍ତ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ସର୍ଟ ସର୍କିଟରୁ ଗାଡ଼ିରେ ନିଆଁ ଲାଗିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସେହିଭଳି ଭୁବନେଶ୍ଵର ବାଣୀବିହାର ରେଳ ଓଭରବ୍ରିଜ ଉପରେ ମଧ୍ୟ ଗୋଟିଏ କାର୍ ଜଳିଯାଇଥିଲା। ରବିବାର ସନ୍ଧ୍ୟାରେ ଅଶୋକ ନାୟକ ନିଜ ପରିବାର ସହିତ କଟକରୁ ଜଟଣୀ ଫେରୁଥିବା ସମୟରେ ଗାଡ଼ିରୁ ଧୂଆଁ ବାହାରିଥିଲା। ପରେ ଗାଡ଼ିଟି ଭୟଙ୍କର ଭାବେ ଜଳି ଉଠିଥିଲା। ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Tags: #Boudh #FireAccident #Vehicle #Bhubaneswar

Comment