ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ(ସାଇ)ର ବେଙ୍ଗାଳୁରୁସ୍ଥିତ ଏକାଡେମୀରେ ହକି ଇଣ୍ଡିଆ ପକ୍ଷରୁ ଜାତୀୟ ହକି ଶିବିର ଆୟୋଜିତ ହେବ। ଏହା ଡିସେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତୀୟ ସିନିୟର ହକି ଦଳର ୩୩ ଜଣ ଖେଳାଳି ଯୋଗ ଦେବେ। ଓଡ଼ିଶାର ଅମିତ ରୋହିଦାସ, ଦୀପସନ ତିର୍କୀ, ନିଲାମ ସଂଜୀପ ଖେସ ଏହି ଶିବିରରେ ଯୋଗ ଦେବା ପାଇଁ ଚୟନ ହୋଇଛନ୍ତି। ୨୦୨୩ ଜାନୁଆରି ମାସରେ ଭୁବନେଶ୍ୱର ଓ ରାଉଲକେଲାରେ ହେବାକୁଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ଏହି ଶିବିର ଅନ୍ତିମ ପର୍ଯ୍ୟାୟ ପ୍ରସ୍ତୁତିରେ ସହାୟ ହେବ।

ଭାରତୀୟ ଦଳ ହକି ବିଶ୍ୱକପ ଜିତିବା ପାଇଁ କରିଥିବା ପ୍ରାୟ ୪୫ ବର୍ଷର ଅପେକ୍ଷାକୁ ଦୂର କରିବା ପାଇଁ ପ୍ରଶିକ୍ଷଣରେ ସବୁ ପ୍ରକାର ଚେଷ୍ଟା ଚଳାଇଛି। ଜାତୀୟ ହକି ଶିବିରରେ ମୂଲ୍ୟାୟନ ପରେ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ହେବ। ଏହି କ୍ୟାମ୍ପ ଶେଷ ହେବା ପରେ ଜାତୀୟ ଦଳ ଡିସେମ୍ବର ୨୭ ତାରିଖରେ ରାଉଲକେଲା ଅଭିମୁଖେ ଯାତ୍ରା କରିବ, ଯେଉଁଠାରେ ଦଳ ସ୍ପେନ ବିପକ୍ଷରେ ଖେଳି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ।

ଏହି ହକି ଶିବିରରେ ଡ୍ରାଗଫ୍ଲିକରମାନଙ୍କ ସ୍ଵତନ୍ତ୍ର ପ୍ରଶିକ୍ଷଣ ପାଇଁ ହକି ଇଣ୍ଡିଆ ନେଦରଲାଣ୍ଡସର ଦୁଇଥର ଅଲିମ୍ପିକ ବିଜେତା ତଥା ପ୍ରମୁଖ ଡ୍ରାଗଫ୍ଲିକର ବ୍ରାମ ଲୋମାନଙ୍କୁ ନିଯୁକ୍ତ କରିଛି। ସେହିପରି ଗୋଲକିପିଙ୍ଗରେ ଭଲ ପ୍ରଶିକ୍ଷଣ ପାଇଁ ଡେନିସ ଭାନ’ଡେ ପୋଲଙ୍କୁ ନିମନ୍ତ୍ରିଣ ଦିଆଯାଇଛି।

“ହକି ଇଣ୍ଡିଆ ଓ ସାଇ ଜାତୀୟ ହକି ଶିବିର ଆୟୋଜନ କରୁଥିବାରୁ ଆମେ ବହୁତ ଖୁସି। ଏଠାରେ ହେବକୁ ଥିବା ଡ୍ରାଗଫ୍ଲିକ ଓ ଗୋଲକିପିଙ୍ଗର ସ୍ଵତନ୍ତ୍ର ପ୍ରଶିକ୍ଷଣ ଦଳକୁ ଆସନ୍ତା ବିଶ୍ୱକପରେ ବହୁଳ ଭାବେ ସାହାଯ୍ୟ କରିବ। ଆମକୁ ଏବେ ଖେଳର ଆଉ କିଛି ବିଭଗରେ ଉନ୍ନତି କରିବାକୁ ପଡ଼ିବ। ଜାତୀୟ ଶିବିରରେ ୱାର୍ଲ୍ଡକ୍ଲାସ ପ୍ରଶିକ୍ଷଣ ଆମ ଖେଳାଳିମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହି ବିଶ୍ଵକପରେ ଭଲ କରିବାକୁ ପ୍ରେରଣା ଦେବ।”, କହିଛନ୍ତି ଭାରତୀୟ ସିନିୟର ହକି ଦଳର କୋଚ ଗ୍ରାହାମ ରିଡ୍।

ଏହି ଜାତୀୟ ଶିବିରରେ ଭାରତୀୟ ଦଳର ଖେଳାଳି ମନପ୍ରୀତ ସିଂହ, ହରମନପ୍ରୀତ ସିଂହ, ପିଆର ଶ୍ରୀଜେଶ,ସୁରେନ୍ଦ୍ର କୁମାର, ଅମିତ ରୋହିଦାସ ,ଗୁରିନ୍ଦର ସିଂହ, ମନଦୀପ ସିଂହ, ଦୀପସନ ତିର୍କୀ, ନିଲାମ ସଂଜୀପ ଖେସ, ଲଲିତ ଉପାଧାୟ, ନୀଳକଣ୍ଠ ଶର୍ମା, ଆକାଶଦୀପ ସିଂହ, ହାର୍ଦ୍ଦିକ ସିଂହ ପ୍ରମୁଖ ଯୋଗ ଦେବେ।

Tags: #NationalHockeyCamp #HockeyIndia #SportsAuthorityOfIndia #Bengaluru #NationalTeam #HWC2023

Comment