ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ନାବାଳିକା ଉପରେ ଏସିଡ ଆକ୍ରମଣ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବୁଧବାର ସକାଳ ପ୍ରାୟ ୭ଟାରେ ନାବାଳିକା ଜଣଙ୍କ ସ୍କୁଲ ଯାଉଥିବାବେଳେ ଦୁଇ ଦୁବୃତ୍ତ ବାଇକରେ ଆସି ଏସିଡ ମାଡ଼ କରିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଡାକ୍ତରଖାନାରେ ଦିଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏସିଡ୍ ଆକ୍ରମଣର ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହାଛଡା ଏସିଡ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ସାମ୍ନାକୁ ଆସିଛି। କେଜ୍ରିୱାଲ କହିଛନ୍ତି, “ଏହାକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ। ଅପରାଧୀମାନେ କିପରି ଏତେ ସାହସ ପାଇଲେ? ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍। ଦିଲ୍ଲୀର ପ୍ରତ୍ୟେକ ବାଳିକାଙ୍କ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।”
ଅନ୍ୟପଟେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ଵାତି ମାଲିୱାଲ କହିଛନ୍ତି, “ଦିନ ଦ୍ଵିପ୍ରହରରେ ଦୁଇ ଦୃବୁର୍ତ୍ତ ଜଣେ ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ୍ ଫିଙ୍ଗିଛନ୍ତି। ଏମାନଙ୍କୁ କ’ଣ ଆଇନ ପ୍ରତି ଭୟ ନାହିଁ ? କାହିଁକି ଏସିଡ୍ ନିଷେଧ କରାଯାଉନାହିଁ।”
ଘଟଣା ଘଟିବାର କିଛି ସମୟ ମଧ୍ୟରେ ଜଣେ ବ୍ୟକ୍ତି ଦିଲ୍ଲୀ ପୋଲିସକୁ ଫୋନ କରି ଜଣେ ୧୭ ବର୍ଷର ନାବାଳିକା ଉପରେ ଏସିଡ ମାଡ଼ ହୋଇଥିବା ସୂଚନା ଦେଇଥିଲେ। ପୋଲିସର ସୂଚନାନୁସାରେ, ନାବାଳିକା ଜଣକ ତାଙ୍କ ସାନ ଭଉଣୀ ସହିତ ସ୍କୁଲ ଯାଉଥିବାବେଳେ ଏହି ଘଟଣା ଘଟିଥିଲା। ଏହି ଘଟଣା ରାଜଧାନୀ ଦିଲ୍ଲୀରେ ଆଲୋଡ଼ନ ସୃଷ୍ଟି କରିଛି। ସିସିଟିଭି ଫୁଟେଜ ଏବଂ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ଜଣେ ବ୍ୟକ୍ତିକୁ ପୋଲିସ ଅଟକ ରଖିଛି।
Tags: #Delhi #DwarakaDistrict #AcidAttack #SchoolGirl #MinorGirl #OneDetain #DelhiPolice #ArvindKejriwal



















