ଓଡ଼ିଶାଲାଇଭ୍ ବ୍ୟୁରୋ

ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱରର ମଞ୍ଚେଶ୍ଵର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ସୋମବାର ଦିନ ଅଭିଯୋଗକାରିଣୀଙ୍କ ଅଭିଯୋଗକ୍ରମେ ମଞ୍ଚେଶ୍ଵର ଥାନାରେ ମାମଲା ରୁଜୁ କରାଯାଇଥିଲା। ପୋଲିସ୍‌ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

ଆଇପିସି ଦଫା ୨୯୪, ୩୨୩, ୩୫୪ (ଏ), ୪୪୮, ୩୭୬, ୫୧୧, ୫୦୬ ଓ ୩୪ ମାମଲା ରୁଜୁ ହୋଇଛି। ଅନ୍ୟ ୮ ଜଣ ସହଯୋଗୀଙ୍କୁ ଖୋଜୁଛି ପୋଲିସ। ଗିରଫ ୩ ଅଭିଯୁକ୍ତ ହେଲେ ୟୁନିଟ-୮ ଅଞ୍ଚଳର ଦେବାଶିଷ ପ୍ରଧାନ ଓରଫ ମାଲିଙ୍ଗା (୨୪), ରଙ୍ଗମାଟିଆ ଅଞ୍ଚଳର ଦୀପକ ସେଠୀ (୨୪) ଓ ଦାଶରାଜା ବସ୍ତିର ସ୍ଵାଧୀନ ନାୟକ ଓରଫ ସାନୁ (୨୨)।

ଗତ ୧୧ ତାରିଖରେ ମଞ୍ଚେଶ୍ଵର ଥାନା ଧିରକୁଟି ବସ୍ତିରେ ଅଭିଯୁକ୍ତ ଦୀପକ ଏକ ବାର୍ଥ ଡେ ପାର୍ଟିର ଆୟୋଜନ କରିଥିଲା। ପ୍ରାୟ ୧୦ ଜଣ ସାଙ୍ଗଙ୍କୁ ନେଇ ନିଶାରେ ଚୁର୍ ହେବା ସହ ଲାଉଡ ମ୍ୟୁଜିକ୍ ବଜାଇ ହୋହଲ୍ଲା କରୁଥିଲେ। ଏହି ସମୟରେ ପୀଡ଼ିତା ମହିଳା ସେମାନଙ୍କୁ ହୋହଲ୍ଲା ନକରିବାକୁ କହିଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ ଲୋକଙ୍କୁ ମାଡ଼ ମାରିବା ସହ ଘରେ ପଶି ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତ। କେବଳ ସେତିକି ନୁହେଁ ୩ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ଉକ୍ତ ମହିଳାଙ୍କୁ ଘର ଭିତରକୁ ଟାଣି ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ।

ପାଟି ଶୁଣି ପଡ଼ୋଶୀ ଅଭିଯୁକ୍ତ କବଳରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା। ଏହାସହ ଅନ୍ୟ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।

Tags: #Bhubaneswar #Mancheswar #GangRape #Women #BirthdayParty #Arrest #Odisha

Comment