ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଫଳାଫଳକୁ ନେଇ ଗୁରୁବାର ଦିନ ନବୀନ ନିବାସରେ ଚାଲିଛି ସମୀକ୍ଷା। ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ନେତାମାନେ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ବିଭିନ୍ନ ସ୍ତରରେ ଦାୟିତ୍ୱ ନେଇଥିବା ନେତାଙ୍କ ସହ ବାରି ବାରି ହୋଇ ସମୀକ୍ଷା କରାଯାଉଥିବା ସୂଚନା ମିଳୁଛି।

ଏହି ବୈଠକରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ ଓ ଦେବୀ ମିଶ୍ର ପ୍ରମୁଖ ସାମିଲ ହୋଇଛନ୍ତି। ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟକୁ ନେଇ ସମୀକ୍ଷା କରାଯିବା ସହ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଉଥିବା ଆଲୋଚନା ହେଉଛି।

୨୦୧୯ ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ଟି ଉପନିର୍ବାଚନ ହୋଇଛି। ଏହା ମଧ୍ୟରୁ ୬ଟିରେ ଶାସକ ବିଜେଡିକୁ ସଫଳତା ମିଳିଥିବାବେଳେ ଧାମନଗରରେ କିନ୍ତୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ଏପଟେ ୨୦୨୪ ପୂର୍ବରୁ ସାଧାରଣ ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଥିବାରୁ ଦଳ ପକ୍ଷରୁ ଏଥିପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା କୁହାଯାଉଛି।

Tags: #Politics #OdishaPolitics #ReviewMeeting #PadampurByElection #BJD

Comment