ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର ଉପକଣ୍ଠସ୍ଥିତ ୧୦ ଟି ଗ୍ରାମରେ ଗ୍ରାମ ସଂଯୋଗୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୭ ନଭେମ୍ବରରୁ ୧୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଚତୁର୍ଥ ବର୍ଷର ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ଉପକଣ୍ଠରେ ଥିବା କୁଜିମହଲ, ଶିମିଳିପାଟଣା, ମେଣ୍ଢାଶାଳ, ଛତାବର, ଗିରିଙ୍ଗାପୁଟ, ଦାସପୁର, କାଟେଣି, କଂଟାବାଡ, ଭୋଳା ଓ ଅନ୍ଧାରୁଆ ପ୍ରଭୃତି ଗ୍ରାମକୁ ସାମିଲ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଏହି ଗ୍ରାମଗୁଡ଼ିକୁ ପରିଦର୍ଶନ କରିବା ସହ ଗ୍ରାମର ସାମାଜିକ, ଅର୍ଥନୈତିକ ଓ କୃଷିଭିତ୍ତିକ ତଥ୍ୟ ଆଧାରରେ ରେଖାଚିତ୍ରମାନ ପ୍ରସ୍ତୁତ କରିଥିଲେ। ଏଥି ସହିତ କୃଷି ଓ କୃଷିଜାତ ଉତ୍ପାଦମାନଙ୍କର ବିକ୍ରୟ ଓ ବଜାରୀକରଣ ବିଷୟରେ ଅଗ୍ରଣୀ କୃଷକମାନଙ୍କ ସହ ଆଲୋଚନା କରି ସେମାନଙ୍କର କ୍ଷେତ୍ର ପରିଦର୍ଶନ କରିଥିଲେ।

ଚଳିତ ମାସରେ ପାଳିତ ହୋଇଥିବା ବିଶ୍ୱ ମୃତ୍ତିକା ଦିବସରେ ମଧ୍ୟ ସବୁ ଗ୍ରାମରେ କୃଷକ ଓ ଅନ୍ୟାନ୍ୟ ଗ୍ରାମବାସୀମାନଙ୍କୁ ନେଇ ମୃତ୍ତିକାର ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ସବୁ ଗ୍ରାମମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉନ୍ନତ ଓ ବୈଜ୍ଞାନିକ ଉପାୟ ଅବଲମ୍ବନରେ ହେଉଥିବା ଆଧୁନିକ କୃଷି ଯଥା ଜୈବିକ ଚାଷ, ଅନ୍ତଃ ଚାଷ, ଗୋବର ଗ୍ୟାସ ଉତ୍ପାଦନ, ବିହନ ବିଶୋଧନ, ଛତୁ ଚାଷ, ଜିଆ ଖତ, ମହମାଛି ପାଳନ, ପତ୍ର ରଙ୍ଗ ଚାର୍ଟର ବ୍ୟବହାର, କନ୍ଦ ଜାତୀୟ ଫସଲ ଚାଷ ତଥା ବିଭିନ୍ନ ଫସଲରେ ସମନ୍ୱିତ ସାର, ରୋଗ, କୀଟ ପରିଚାଳନା ବିଷୟରେ ୨୨ଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିର ଗୁଡ଼ିକରେ ପ୍ରତି ଗ୍ରାମର ଅନେକ ଅଗ୍ରଣୀ କୃଷକ ଓ ଗ୍ରାମବାସୀମାନେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏକ ମାସରୁ ଊର୍ଦ୍ଧ୍ଵ ସମୟ ଧରି ଚାଲିଥିବା ଏହି ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ବାସ୍ତବିକ ସଫଳ  ହୋଇଛି ଓ ଏହାର ଉଦ୍ଦେଶ୍ୟ ସାଧିତ ହୋଇଛି ବୋଲି କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ସାହୁ ମତବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମକୁ ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ମାନସ ପଟେଲ, ଡକ୍ଟର ସିମନ୍ତିନି ଶାସନୀ, ଡକ୍ଟର ସୌମ୍ୟା ମିଶ୍ର, ଡକ୍ଟର ରାମ ପ୍ରସାଦ ନନ୍ଦି, ଡକ୍ଟର ସବ୍ୟସାଚୀ ପ୍ରଧାନ, ଅଧ୍ୟାପକ କୁମାର ସମ୍ଭବ ଗିରି, ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ସୂର୍ଯ୍ୟ ସିଦ୍ଧାନ୍ତ ରଥ, ସୁଶ୍ରୀ ସୁଦର୍ଶନା କର, ଦୀପ୍ତନୁ ଦତ, ଡକ୍ଟର ପ୍ରଣୟ ରାୟ ପ୍ରମୁଖଙ୍କ ତତ୍ଵାବଧାନ କରିଥିଲେ। ସବୁ ଗ୍ରାମର ସରପଞ୍ଚ, କୃଷକ ସାଥୀଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏଥିରେ ସହାୟତା କରିଥିଲେ।

Tags: #SoaUniversity #InstituteOfAgriculturalSciences #TrainingCamp #Bhubaneswar #Odisha #Farmers #Village

Comment