ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ବର୍ଷରୁ ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ନିୟମ। ଶ୍ରୀମନ୍ଦିର ଭିତରକୁ କେହି ନେଇ ପାରିବେ ନାହିଁ ମୋବାଇଲ। ସେବାୟତ, କର୍ମଚାରୀ ଏବଂ ପୋଲିସଙ୍କ ଲାଗି ଏହି ନିୟମ ଆସନ୍ତା ଜାନୁଆରି ୧ ତାରିଖଠାରୁ ଲାଗୁ ହେବ। ଏ ନେଇ ଗୁରୁବାର ଦିନ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ପୂର୍ବରୁ ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପୂର୍ବରୁ ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ ନେବାକୁ ଭକ୍ତମାନଙ୍କୁ ବାରଣ କରାଯାଇଥିଲା। ବର୍ତ୍ତମାନ ସେବାୟତ, କର୍ମଚାରୀ ଏବଂ ପୋଲିସ ଆସନ୍ତା ଜାନୁଆରି ପହିଲାରୁ ଶ୍ରୀମନ୍ଦିର ମଧ୍ୟକୁ କ୍ୟାମେରା ଯୁକ୍ତ ମୋବାଇଲ ନେଇପାରିବେ ନାହିଁ ବୋଲି ଆଜି ନିଷ୍ପତ୍ତି ହୋଇଛି। ଆବଶ୍ୟକ ସ୍ଥଳେ କ୍ୟାମେରା ନଥିବା ମୋବାଇଲ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।

କେବଳ ସେବାୟତ, କର୍ମଚାରୀ ଏବଂ ପୋଲିସ କର୍ମୀଙ୍କ ମୋବାଇଲ ରଖିବା ନିମନ୍ତେ ଶ୍ରୀମନ୍ଦିରର ସିଂହଦ୍ୱାର ଓ ଦକ୍ଷିଣଦ୍ୱାରରେ ମୋବାଇଲ ରଖିବାକୁ ବ୍ୟବସ୍ଥା କରାଯିବ। ନିୟମ ଭାଙ୍ଗି ଯିଏ ଶ୍ରୀମନ୍ଦିର ଭିତରକୁ କ୍ୟାମେରାଯୁକ୍ତ ମୋବାଇଲ ନେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରର ଅନେକ ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ଦିଗରେ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଆସନ୍ତା ବର୍ଷ ଏପ୍ରିଲ ମାସ ଶେଷ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରର ମରାମତି କାମ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

Tags: #ShreeMandir #ShreeJagannathTemple #MobilePhoneBan #Puri #January

LEAVE A REPLY

Please enter your comment!
Please enter your name here