ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ହିଂସା ଏବଂ ଗିରଫଦାରୀ ଆଦି ମାମଲାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏଥିପାଇଁ ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରୁଥିବାବେଳେ ଏହାର ପାଲଟା ଜବାବ ଦେଇଛି ବିଜେଡି।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବାବେଳେ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନଥିବା ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ ଆନ୍ଦୋଳନ କରିଥିଲେ। ଆନ୍ଦୋଳନ ବେଳେ ହିଂସା ସମ୍ପୃକ୍ତି କାରଣରୁ ଅନେକ ଓକିଲଙ୍କର ଲାଇସେନ୍ସ ରଦ୍ଦ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ସମ୍ବଲପୁରରେ ଯେଉଁ ଅପ୍ରୀତିକର ପରିସ୍ଥିତି ଉପୁଜିଲା ସେଥିପାଇଁ ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରୁଥିବାବେଳେ ବିଜେପି ଉପରେ ପାଲଟା ଦୋଷ ଲଦିଛି ବିଜେଡି।

ରାଜ୍ୟ ସରକାରଙ୍କ ନୀରବତା ପାଇଁ ଏଭଳି ଘଟିଲା – ବିଜେପି ସାଂସଦ ସୁରେଶ ପୂଜାରୀ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘ ଦିନରୁ ଚାଲିଥିବା ଓକିଲଙ୍କ ଆନ୍ଦୋଳନ ହିଂସାରେ ପରିଣତ ହୋଇଥିଲା। ଏ ନେଇ ନୂଆଦିଲ୍ଲୀରେ ପଶ୍ଚିମ ଓଡ଼ିଶାର ୫ ଜଣ ସାଂସଦ ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ରାଜ୍ୟ ସରକାର ଠିକ୍ ସମୟରେ ପଦକ୍ଷେପ ନେଇଥିଲେ ଏହାକୁ ଏଡ଼ାଇ ଦିଆଯାଇପରିଥାନ୍ତା ବୋଲି କହିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ।

ଓକିଲ ଆନ୍ଦୋଳନ ବେଳେ ହିଂସାକାଣ୍ଡକୁ ନେଇ ଅନେକ ଓକିଲଙ୍କୁ ଗିରଫ କରାଯିବା ସହ ଲାଇସେନ୍ସ ମଧ୍ୟ ବାତିଲ କରାଯାଇଛି। ଏବେ କୋର୍ଟ କେମିତି ଚାଲିବ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଂସଦ। ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି ବିଜେପି।

କେନ୍ଦ୍ର ସରକାର ଚାହିଁଲେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ: ବିଜେଡି ସାଂସଦ ସସ୍ମିତ ପାତ୍ର

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଂଗ, ଓକିଲଙ୍କ ଆନ୍ଦୋଳନ ଏବଂ ହିଂସାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରୁଥିବାବେଳେ ଏହାର ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି କେନ୍ଦ୍ର ସରକାର ଚାହିଁଲେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହୋଇପାରିବ। ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ରାଜ୍ୟ ସରକାର ଏ ପ୍ରସଙ୍ଗରେ ଅନେକ ଥର କେନ୍ଦ୍ରକୁ ଚିଠି ଲେଖିଛନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବେଞ୍ଚ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାରଙ୍କୁ ସମ୍ବିଧାନ କ୍ଷମତା ଦେଇଛି। କେନ୍ଦ୍ର ଚାହିଁଲେ ଓଡ଼ିଶା ହାଇକୋର୍ଟଙ୍କ ସହ ବିଚାରବିମର୍ଶ କରି ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହୋଇପାରିବ। କିନ୍ତୁ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଉ ବୋଲି କେନ୍ଦ୍ର ଚାହୁଁ ନଥିବା କହିଛନ୍ତି ସାଂସଦ ସସ୍ମିତ ପାତ୍ର। ନିର୍ବାଚନ ପାଖେଇ ଆସିଲେ ବିଜେପି ଭିତ୍ତିହୀନ ପ୍ରସଂଗକୁ ନେଇ ରାଜ୍ୟ ସରକାରଙ୍କ ଟାର୍ଗେଟ କରେ ବୋଲି ସେ କହିଛନ୍ତି।

କଚେରୀ ଛକରେ ୧୪୪ ଧାରା ବଳବତ୍ତର

ସମ୍ବଲପୁର କୋର୍ଟ ଭଙ୍ଗାରୁଜା ଘଟଣାରେ ପୋଲିସ, ଓକିଲ ଓ କିନ୍ନରଙ୍କୁ ମିଶାଇ ପ୍ରାୟ ୩୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାରୁ ସମ୍ବଲପୁର ସହରରେ ଉତ୍ତେଜନା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ମଧ୍ୟ କଚେରୀ ଛକରେ ୧୪୪ ଧାରା ଜାରି ରହିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ଫୋର୍ସ ମୁତୟନ ହେବା ସହ ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖାଯାଇଛି।

Tags: #Politics #OdishaPolitics #HighCourtBenchEstablishment #WesternOdisha #SureshPujari #SasmitPatra #BJD #BJP

Comment