ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ମଶା ଦମନ ପାଇଁ ଶନିବାରଠାରୁ ଆରମ୍ଭ ହୋଇଛି ଡ୍ରୋନର ପ୍ରଥମ ପରୀକ୍ଷଣ। କୋଲକାତା ମଡେଲରେ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ପକ୍ଷରୁ ଭୁବନେଶ୍ଵରରେ ଡ୍ରୋନ ସହାଯ୍ୟରେ ମଶା ମାରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ନିଳାଦ୍ରୀ ବିହାର ୧୪ ନମ୍ବର ଓ୍ଵାର୍ଡରେ ପ୍ରଥମ ପରୀକ୍ଷଣ କରାଯାଇଛି।

ଡ୍ରୋନ ସହାୟତାରେ ମଶାର ଉତ୍ପତିସ୍ଥଳ ଚିହ୍ନଟ କରାଯିବା ପରେ ମଶା ମରା ଔଷଧ ପ୍ରୟୋଗ କରାଯିବ। ଆଜି ପ୍ରଥମ ପର୍ଯ୍ୟାୟରେ ଦୁଇଟି ଡ୍ରୋନକୁ ନେଇ ପରୀକ୍ଷଣ କରାଯାଇଛି। ଏଥିରେ ରହିଛି ଛୋଟ ଏବଂ ବଡ଼ ଦୁଇଟି ଡ୍ରୋନ। ଛୋଟ ଡ୍ରୋନ ମଶାର ଉତ୍ପତିସ୍ଥଳ ଚିହ୍ନଟ କରିବ ଏବଂ ବଡ଼ ଡ୍ରୋନ ସହାୟତାରେ ମଶା ମରା ଔଷଧ ପ୍ରୟୋଗ କରାଯିବ।

ଆସନ୍ତା ସୋମବାରଠାରୁ ଓ୍ଵାର୍ଡଓ୍ଵାରୀ ସଫେଇ କର୍ମଚାରୀମାନେ ମଶା ମରାତେଲ ପକାଇବେ। ରାଜଧାନୀରେ ରହିଥିବା ସମସ୍ତ ନାଳରେ ମଶା ତେଲ ପକାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଡ୍ରୋନ ପରୀକ୍ଷଣ ସଫଳ ହେଲେ ଆଗକୁ ମଶା ବଂଶବୃଦ୍ଧି ଏବଂ ମଶା ମାରିବା ପାଇଁ ଡ୍ରୋନର ବ୍ୟବହାର କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

 

ଏହା ପୂର୍ବରୁ ଗୁରୁବାର ଦିନ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଥିଲା ରାଜଧାନୀରେ ମଶା ଦମନ ପାଇଁ ପଦକ୍ଷେପ ନିଆଯାଉଛି। ମଶା ଦାଉରୁ ରାଜଧାନୀବାସୀଙ୍କୁ ରକ୍ଷା କରିବା ପାଇଁ କୋଲକାତା ମଡେଲରେ ଡ୍ରୋନର ବ୍ୟବହାର କରାଯିବ ବୋଲି ସୂଚନା ଦେଇଥିଲେ ବିଏମସି ମେୟର ସୁଲୋଚନା ଦାସ।

Tags: #DroneSurvey #Bhubaneswar #Mosquito #KillMosquito #SmartCityBhubaneswar

Comment