ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ସୌରଶକ୍ତି ଭଳି ସବୁଜ ଶକ୍ତି ସହ ଯୋଡ଼ି ହେଉଛି ଭାରତ। ତାପଜ ଓ ଜଳ ବିଦ୍ୟୁତ ସହିତ ସୌର ଶକ୍ତିରୁ ବିଦ୍ୟୁତ ଉତ୍ପାଦନ ଉପରେ ଏବେ ଗୁରୁତ୍ୱ ଦିଆଯାଉଛି। ତେବେ ଏହି ସୌର ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଯୋଡ଼ି ହୋଇଛି ବୌଦ୍ଧ ଜିଲ୍ଲା। ଜିଲ୍ଲାରେ ତିନୋଟି ସୋଲାର ପ୍ରକଳ୍ପ ଗଢ଼ି ଉଠିଥିବାବେଳେ ଆଗକୁ ଆଉ ଏକ ସୋଲାର ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି।

ପ୍ରଥମଟି ସୌର ପ୍ରକଳ୍ପଟି ଜିଲ୍ଲାର କଣ୍ଟାମାଳ ବ୍ଲକ ଗୋହିପିଟା ଗ୍ରାମରେ ରହିଛି । ଯାହାକି ୨୦ ମେଗାୱାଟ କ୍ଷମତା ବିଶିଷ୍ଟ ସୌର ଶକ୍ତି ପ୍ରକଳ୍ପ। ଦ୍ୱିତୀୟଟି ସେହି କଣ୍ଟାମାଳ ବ୍ଲକର ଏରେଡାରେ ରହିଛି। ଏଥିରୁ ୨ ମେଗାୱାଟ କ୍ଷମତା ବିଶିଷ୍ଟ ଶକ୍ତି ଉତ୍ପନ୍ନ ହେଉଛି। ଏହାକୁ  ଓଡିଶା ସବୁଜ ଶକ୍ତି ଉନ୍ନୟନ ନିଗମ ଲିମିଟେଡ୍ ଦ୍ୱାରା ସ୍ଥାପନ କରାଯାଇଛି। ସେହିଭଳି ହରଭଙ୍ଗା ବ୍ଲକର ଗାନ୍ଧୀନଗରରେ ରହିଛି ତୃତୀୟ ସୌରଶକ୍ତି ପ୍ରକଳ୍ପ। ୩୫ ମେଗାୱାଟ କ୍ଷମତା ବିଶିଷ୍ଟ ଏହି ସୋଲାର ପ୍ରୋଜେକ୍ଟକୁ ଆଦିତ୍ୟ ବିର୍ଲା ଗ୍ରୁପ ଦ୍ୱାରା ସ୍ଥାପନ କରାଯାଇଛି।

ବୌଦ୍ଧ ଜିଲ୍ଲାରେ ପ୍ରତିଦିନ ୪୦ ମେଗାୱାଟର ବିଦ୍ୟୁତ ଆବଶ୍ୟକତା ରହୁଛି। ପ୍ରକଳ୍ପଗୁଡିକ ହେବ ଦ୍ୱାରା ଜିଲ୍ଲାରେ ପାୱାର କଟ ସମସ୍ୟା କମିଥିବା ବେଳେ ଭୋଲଟେଜ ସମସ୍ୟା ମଧ୍ୟ ଦୂର ହୋଇଛି। ସମସ୍ତ ସୋଲାର ପ୍ରକଳ୍ପରୁ ସିଧାସଳଖ ନିକଟସ୍ଥ ବିଦ୍ୟୁତ ଗ୍ରୀଡକୁ ବିଦ୍ୟୁତ ଯୋଗାଇ ଦିଆଯାଉଛି । ଯାହାକି ଗ୍ରୀଡରୁ ଉପଭୋକ୍ତାମାନଙ୍କ ପାଖରେ ପହଁଞ୍ଚି ପାରୁଛି। ତାପଜ ଓ ଜଳ ବିଦ୍ୟୁତରୁ ବିଜୁଳି ଉତ୍ପାଦନ ଅପେକ୍ଷା ସୋଲାର ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନରେ କମ ଅର୍ଥ ବିନିଯୋଗ ସହ କମ ଲୋକବଳ ଲାଗିଥାଏ। ତେଣୁ ଏବେ ଛୋଟ ଛୋଟ ଉଦ୍ୟଗୀମାନେ ମଧ୍ୟ ସୋଲାର ପ୍ରକଳ୍ପ ସ୍ଥାପନ ପାଇଁ ମନ ବଳାଉଛନ୍ତି।

ଆମ ଦୈନଦିନ କାର୍ଯ୍ୟରେ ବିଜୁଳିର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦିନକୁ ଦିନ ଏହାର ବ୍ୟବହାର ବଢ଼ିବା ସହ ଆବଶ୍ୟକତା ମଧ୍ୟ ବଢିଛି।  ତେବେ ତାପଜ ଓ ଜଳ ବିଦ୍ୟୁତ ଏହି ଆବଶ୍ୟକତା ପୂରଣ କରିପାରୁ ନାହିଁ । ତେବେ ଏଥିପାଇଁ ଏବେ ସୌରଶକ୍ତିରୁ ବିଦ୍ୟୁତ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି। ବିଦ୍ୟୁତର ଆବଶ୍ୟକତା ପୂରଣ ପାଇଁ ଦେଶର ବିଭିନ୍ନ ସ୍ଥାନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ନିର୍ମାଣ ହେଉଛି ସୋଲାର ପାୱାର ପ୍ରୋଜେକ୍ଟ।

Tags: #Greenenergy #Solarenergy #Solarparks #Electricity #Powerprojects #BoudhDistrict #Odisha

Comment