ଓଡ଼ିଶାଲାଇଭ୍ ବ୍ୟୁରୋ

ଜେଲ ପରିସରରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ ଉଠିଛି। ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

କଡ଼ା ସୁରକ୍ଷା ମଧ୍ୟରେ କଣ୍ଟାବାଞ୍ଜି ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିବା ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ଉଠିଛି। ଜେଲ ପରିସରରେ ଦିନ ୯ଟାରେ ଆତ୍ମହତ୍ୟା କରିବାକୁ ଗୋବିନ୍ଦ ସାହୁ କିପରି ସୁଯୋଗ ପାଇଲେ ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ଏହି ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଜେଲ ପରିସରରେ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବିରୋଧୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଗୋବିନ୍ଦ ସାହୁଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିବା ବିଜେପି ଅଭିଯୋଗ କରୁଥିବାବେଳେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ।

ସରକାରଙ୍କୁ ବିଜେପିର ଟାର୍ଗେଟେ

ସକାଳ ସମୟରେ ଜେଲ ପରିସରରେ କେମିତି ଏବଂ କାହିଁକି ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହେଲା। ଏହାକୁ ନେଇ ସସପେନ୍ସ ବଢ଼ିଥିବାବେଳେ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି ବିଜେପି।

ମଙ୍ଗଳବାର ଦିନ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଗୋବିନ୍ଦ ସହୁଙ୍କ ମୃତ୍ୟୁ ପାଇଁ ଶାସକ ଦଳକୁ ଦାୟୀ କରାଯାଇଛି। ଗୋବିନ୍ଦ ସାହୁଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ସେ କହିଛନ୍ତି ଗୋବିନ୍ଦଙ୍କ ଉପରେ ମାନସିକ ଚାପ ପକାଯାଇଥିବାରୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ଯଦି ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ତେବେ କାହିଁକି କଲେ? ଯଦି ତାଙ୍କୁ ହତ୍ୟା କରାଯାଇଛି, ଏ ହତ୍ୟାରେ କିଏ କିଏ ସାମିଲ ଅଛନ୍ତି ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ ବୋଲି କହିଛନ୍ତି ସ୍ମୃତି ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମମିତା ମେହେର ହତ୍ୟା ମମାଲାରେ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଜୋର ଧରିଥିଲା। ସେତେବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ମହଲରେ ଝଡ଼ ଉଠିଥିଲା। ଗୋବିନ୍ଦଙ୍କ ମୃତ୍ୟୁ ପରେ ଏହି ମାମଲାରେ ସମ୍ପୃକ୍ତ ଥିବା ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନ୍‌ଚିଟ୍‌ ମିଳିଯିବ। ଏଠି ଯିଏ ସତ ଜାଣେ, ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଏ ନଚେତ ହତ୍ୟା କରାଯାଏ। ଏହି ଭଳି ମାମଲାଗୁଡ଼ିକୁ ବନ୍ଦ କରିବାରେ ସରକାର ସଫଳ ହେଉଛନ୍ତି ବୋଲି କହି ସରକାରଙ୍କ ଉପରେ ବର୍ଷିଛନ୍ତି ସ୍ମୃତି ପଟ୍ଟନାୟକ।

ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ଗୋବିନ୍ଦ ସାହୁଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ସେ ନେଇ ପ୍ରଶ୍ନ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ କହିଛନ୍ତି, ମମିତା ମେହେରା ହତ୍ୟା ମାମଲାରେ ଗୋବିନ୍ଦ ସାହୁଙ୍କ ସହ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସମ୍ପୃକ୍ତି ଥିଲା। ସେ ଗୋବିନ୍ଦଙ୍କୁ ମୁକ୍ତ କରିବାକୁ କଥା ମଧ୍ୟ ଦେଇଥିଲେ। କିନ୍ତୁ ଅଧାରୁ ହାତ ଛାଡ଼ି ଦେଇଥିଲେ।

ପୂର୍ବତନ ଗୃହମନ୍ତ୍ରୀ ଗୋବିନ୍ଦଙ୍କୁ ମୁକୁଳାଇବା ପାଇଁ ସହଯୋଗ କରିବେ ବୋଲି କହିଥିବା ମତିତାଙ୍କ ବାପା ଏବଂ ମା’ଙ୍କୁ କଥା ଦେଇଥିଲେ। ପୂର୍ବତନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋବିନ୍ଦଙ୍କୁ ଜେଲରେ ଜୋଇଁପୁଅ ଭଳି ସେବା କରାଯାଉଥିଲା। ଏତେ ସୁବିଧା ପାଉଥିଲେ ମଧ୍ୟ କାହିଁକି ସେ ଆତ୍ମହତ୍ୟା କରିଲେ? ଆଜି ଜେଲ ପରିସରରେ ଗୋବିନ୍ଦଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହେଲା ଅଥଚ ଜେଲ କର୍ମଚାରୀ କିଭଳି ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

“ମମିତା ମେହେର ହତ୍ୟା ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ହୁଏତ ଷଡ଼ଯନ୍ତ୍ର ହୋଇଥାଇପାରେ। ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ବି ହୋଇପାରେ। ଏହି ସସପେନ୍ସ ଉପରୁ ପରଦା ହଟାଇବାକୁ ସିବିଆଇ ତଦନ୍ତ ଆବଶ୍ୟକ”, କହିଛନ୍ତି କଂଗ୍ରେସ ବିଧାୟକ।

କୋର୍ଟରେ ହାଜର ହେବା ପୂର୍ବରୁ ଗୋବିନ୍ଦ ସାହୁଙ୍କ ମୃତ୍ୟୁ

ମଙ୍ଗବାର ଦିନ ମମିତା ମେହେର ହତ୍ୟା ମାମଲାର ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ ସାହୁ। କିନ୍ତୁ ଆଜି ସକାଳ ପ୍ରାୟ ୯ଟାରେ ଗୋବିନ୍ଦ ସାହୁ ଶୌଚ ହେବାକୁ ଯାଇଥିବାବେଳେ ଜେଲ ପରିସରରେ ଥିବା ଏକ ଛୋଟିଆ ଗଛରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ।  ଏହା କିଛି କଏଦୀ ଦେଖି ଜେଲ କର୍ତ୍ତୃପକ୍ଷକୁ ସୂଚନା ଦେଇଥିଲେ। ଗୋବିନ୍ଦ ସାହୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଯେଉଁ ଦିନ ହତ୍ୟା ମାମଲାର ଶୁଣାଣି ହେବାର ଥିଲା ସେହିଦିନ ସକାଳେ ଗୋବିନ୍ଦ କାହିଁକି ଆତ୍ମହତ୍ୟା କରିବାକୁ ଚିନ୍ତା କଲେ? ଏହା ଆତ୍ମହତ୍ୟା ନା ହତ୍ୟା? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

Tags: #GovindaSahoo #Suicide #KantabanjhiJail #MamitaMeherMurderCase #Balangir #Odisha

LEAVE A REPLY

Please enter your comment!
Please enter your name here