ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକଲର ଡେପୁଟି ମ୍ୟାନେଜର ଗୟା ସାଁନ୍ତରାଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ବିଭାଗ ଗୁରୁବାର ଦିନ ତାଙ୍କୁ ଗିରଫ କରିଛି। ଗୟା ସାଁନ୍ତରାଙ୍କ ଘରୁ ୧ କୋଟି ୬ ଲକ୍ଷ ୪୪ ହଜାର ନଗଦ ଟଙ୍କା ଜବତ କରାଯାଇଥିବାବେଳେ ୧ କେଜି ୮୩ ଗ୍ରାମର ସୁନା ଏବଂ ୬ କେଜିର ରୂପା ଜବତ କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠଓ୍ଵା ସୂଚନା ଦେଇଛନ୍ତି।

ଇଡକଲ ଡେପୁଟି ମ୍ୟାନେଜର ଗୟା ସାଁନ୍ତରାଙ୍କ ନାଁରେ ୧୩ଟି ପ୍ଲଟ, ଆଲିସାନ ଘର ଏବଂ ତାଙ୍କ ଆକାଉଣ୍ଟରେ ୪ କୋଟି ୧୯ ଲକ୍ଷ ଟଙ୍କା ରହିଥିବା ଭିଜିଲାନ୍ସ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ୨୪ ଘଣ୍ଟା ଧରି ସେ ଭିଜିଲାନ୍ସ ସେଲରେ ଅଟକ ଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି।

କୋରାପୁଟ ଜିଲ୍ଲା ସୀମାଗୋଡ଼ା ଇଡକଲ ଅମ୍ପାଭାଲି ଲାଇମ ଷ୍ଟୋନ ମାଇନ୍ସର ଡେପୁଟି ମ୍ୟାନେଜର ହେଉଛନ୍ତି ଗୟା ସାଁନ୍ତରା। ମଙ୍ଗଳବାର ଦିନ ବେଆଇନ ସମ୍ପତ୍ତିଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏହି ସମୟରେ ଗୟା ସାଁନ୍ତରାଙ୍କ ଘରୁ ଯେତିକି ଟଙ୍କା ବାହାରିଥିଲା, ତାକୁ ଗଣି ଗଣି ଥକି ପଡ଼ିଥିଲେ ଭିଜିଲାନ୍ସ ଅଧିକାରୀ। ବୁଧବାର ସୁଦ୍ଧା ଇଡକଲ ଡେପୁଟି ମ୍ୟାନେଜରଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ତାଙ୍କ ଭୁବନେଶ୍ଵରସ୍ଥିତ ଘରୁ ନଗଦ ୧ କୋଟି ୬ ଲକ୍ଷ ଟଙ୍କା ଓ ୧ କେଜି ୮୩ ଗ୍ରାମ ସୁନା ସହ ୬ କିଲୋ ୭୫୦ ଗ୍ରାମର ରୁପା ଜବତ କରାଯାଇଥିଲା। ତାଙ୍କୁ  ଭୁବନେଶ୍ଵର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରା ଉଚରା କରାଯାଉଥିଲା।

ଭିଜିଲାନ୍ସ ବିଭାଗର ୭ଟି ଟିମ ମଙ୍ଗଳବାର ଦିନ ରାଜଧାନୀ ଭୁବନେଶ୍ଵରଠାରୁ ଆରମ୍ଭ କରି ଯାଜପୁର, ନୟାଗଡ଼, କୋରାପୁଟସ୍ଥିତ ଗୟା ସାଁନ୍ତରାଙ୍କ ଭଡ଼ାଘର ଓ ସରକାରୀ କାର୍ଯ୍ୟାଳୟ, ନୟାଗଡ଼ ଓଡ଼ଗାଁସ୍ଥିତ ପୈତୃକ ବାସଭବନ, ରାୟଗଡ଼ା ସ୍ଥିତ ସମ୍ପର୍କୀୟଙ୍କ ସର ସମେତ ମୋଟ ୭ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଭୁବନେଶ୍ଵର ସ୍ଥିତ ମଞ୍ଚେଶ୍ଵରରେ ଥିବା ୩ ମହଲା ବିଶିଷ୍ଟ କୋଠା, ଏକ କେବୁଲ ଫ୍ୟାକ୍ଟ୍ରି, ଜୟଦେବ ବିହାର ସ୍ଥିତ ୪ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା, ସୁଙ୍କିରେ ତାଙ୍କର ଘର ଥିବା ଜଣାପଡ଼ିଛି।

ଏହା ବ୍ୟତୀୟ ଭୁବନେଶ୍ଵରରେ ୭ଟି ପ୍ଲଟ, ଯାଜପୁରରେ ୫ଟି ଏବଂ ନୟାଗଡ଼ରେ ଗୋଟିଏ ପ୍ଲଟ ରହିଛି। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୧୬ଟି ଆକାଉଣ୍ଟ ରହିଥିବାବେଳେ ୩ଟିରେ ସାଢ଼େ ୪ କୋଟି ଟଙ୍କରୁ ଅଧିକ ଜମା ରାଶି ରହିଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠଓ୍ଵା ସୂଚନା ଦେଇଛନ୍ତି।

Tags: #VigilanceRaid #IDCOLDeputyManager #Bhubaneswar #Raid #OdishaVigilance #GayaSantara #Arrest

Comment