ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର କୋଚିଠାରେ ୨୦୨୩ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଖେଳାଳି ନିଲାମ ଆୟୋଜିତ ହେବ। ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ହେବକୁ ଥିବା ଏହି ମେଗା ଟି-ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମିନି ଅକ୍ସନ (ନିଲାମୀ) ଅନୁଷ୍ଠିତ ହେବ। ଏହି ନିଲାମୀ ପାଇଁ ସମୁଦାୟ ୫୯୧ ଜଣ ଖେଳାଳି ଆବେଦନ କରିଥିବା ବେଳେ ଏହା ମଧ୍ୟରୁ ୪୦୫ ଜଣଙ୍କୁ ଚୟନ କରାଯାଇଛି। ଆଇପିଏଲ୍‌ ନିଲମୀ ପାଇଁ ଚୟନ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଓଡ଼ିଶା କ୍ରିକେଟ ଦଳର ଲେଗ ସ୍ପିନର ମୁସ୍ତାକ ବେଗ ଓ ଦ୍ରୁତ ବୋଲର ଚୟନ ହୋଇଛନ୍ତି।

ମିନି ଅକ୍ସନରେ ଚୟନ ହୋଇଥିବା ଖେଳାଳିମାନଙ୍କ ମଧ୍ୟରୁ ୮୭ ଜଣ ଖେଳାଳିଙ୍କୁ ବିଭିନ୍ନ ଆଇପିଏଲ ଦଳ କିଣିବେ। ଏହି ୮୭ ଖେଳାଳିଙ୍କ ମଧ୍ୟରେ ୩୦ ବିଦେଶୀ ଖେଳାଳି ମଧ୍ୟ କିଣା ହେବେ। ଏହି ନିଲାମୀରେ ବିଦେଶୀ ଖେଳାଳି ଭାବେ ଇଂଲଣ୍ଡ ଟେଷ୍ଟ୍‌ ଅଧିନାୟକ ବେନ୍‌ ଷ୍ଟୋକ୍ସ, ଅଲ୍‌ରାଉଣ୍ଡର ସାମ୍‌ କରନ, ହାରି ବ୍ରୁକ୍‌, ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ ୱିଲିୟମ୍ସନ୍ ଏବଂ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର କାମରୁନ ଗ୍ରିନ୍‌ ନଜରରେ ରହିବେ। ସେହିଭଳି ଭାରତୀୟ ଖେଳାଳି ଭାବେ ମୟାଙ୍କ ଅଗ୍ରୱାଲଙ୍କ ଉପରେ ସବୁ ଦଳ ନଜର ରଖିବେ।

ଶୁକ୍ରବାର ନିଲାମୀ ପାଇଁ ବେନ୍‌ ଷ୍ଟୋକ୍ସ,ସାମ୍‌ କରନ୍‌ ଓ କେନ ୱିଲିୟମ୍ସନଙ୍କ ମୂଳ ଦର ୨ କୋଟି ଲେଖାଏଁ ରହିଥିଲା ବେଳେ ହ୍ୟାରି ବ୍ରୁକ୍‌ଙ୍କ ମୂଳଦର ୧.୫ କୋଟି ରହିଛି। ଅନ୍ୟପକ୍ଷରେ ମୟାଙ୍କ ଅଗ୍ରୱାଲଙ୍କ ମୂଳଦର ୧ କୋଟି ରହିଛି।

Tags: #IPL2023 #IPLauction #Kochi #Foreignplayers #indianPlayers #BCCI

Comment