ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନ, ଜାପାନ ଏବଂ ଆମେରିକା ଭଳି ୫ଟି ଦେଶରେ କୋଭିଡ ସ୍ଥିତି ବିଗିଡ଼ିବାରେ ଲାଗିଛି। କୋଭିଡର ନୂଆ ଭେରିଏଣ୍ଟ ବିଏଫ-୭କୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। କୋଭିଡ ମୁକାବିଲା ଲାଗି ଚାଲିଛି ଘନ ଘନ ବୈଠକ। ବୁଷ୍ଟର ଡୋଜ ନୂଆ ଭାରିଆଣ୍ଟକୁ ପ୍ରତିହତ କରିବାରେ ସକ୍ଷମ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ଵପୂର୍ଣ୍ଣ ବୈଠକ ପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏହି ସୂଚନା ଦେବା ସହ ଆଗକୁ ପାର୍ବଣ ଏବଂ ନୂଆ ବର୍ଷ ଥିବାରୁ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଯେ, ଓଡ଼ିଶାରେ କୋଭିଡ ସ୍ଥିତି ଚିନ୍ତାଜନକ ନଥିଲେ ସୁଦ୍ଧା ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ପରିସ୍ଥିତକୁ ଦେଖି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ ଟେଷ୍ଟିଂ, ଟ୍ରାକିଂ ଉପରେ ଗୁରୁତ୍ଵ ଦିଆଯାଉଛି। ବିଦେଶରୁ ଫେରୁଥିବା ଲୋକଙ୍କ ଉପରେ ବିଶେଷ ନଜର ରଖାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ନୂଆ ଆଡଭାଇଜରି ଜାରି ହେବାର ସମ୍ଭାବନା ରହିଛି। କୋଭିଡକୁ ନେଇ ଆତଙ୍କିତ ନହେବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ସିବିକେ ମହାନ୍ତି କହିଛନ୍ତି ଯେ, କୋଭିଡକୁ ନେଇ ଭୟ କରିବା ଅପେକ୍ଷା ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ତିନି ବର୍ଷ ଆମେ କୋଭିଡ ଦେଖିଛନ୍ତି। ଏହାରି ମଧ୍ୟରେ ୩ଟି ଲହର ଯାଇ ସାରିଛି। ତାକୁ ଆମେ ଅତିକ୍ରମ କରିଛେ। ସତର୍କତା ଅବଲମ୍ବନ କରିବା ସହ ମାସ୍କ ପରିଧାନ, ଭିଡ଼ଠାରୁ ଦୂରେଇ ରହିଲେ କୋଭିଡକୁ ପରାସ୍ତ କରିହେବ ବୋଲି ସେ କହିଛନ୍ତି।

Tags: #Covid #CoronaVirus #ImportantMeeting #OdishaGovt #Testing

Comment