ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ ପୁରୁଷ ହକି ବିଶ୍ଵକପ୍ ପୂର୍ବରୁ ହକି ଇଣ୍ଡିଆ ଭାରତୀୟ ଦଳର ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ନଗଦ ପୁରସ୍କାର ଘୋଷଣା କରିଛି। ବିଶ୍ଵକପରେ ଭାରତୀୟ ଖେଳାଳିଙ୍କ ମନୋବଳ ଆହୁରି ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ ବୁଧବାର ଏହି ପୁରସ୍କାର ଘୋଷଣା କରାଯାଇଛି।

ହକି ବିଶ୍ଵକପରେ ସ୍ୱର୍ଣ୍ଣ ପଦକ ଜିତିଲେ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ସହାୟକ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ହକି ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ହୋଇଛି। ସେହିପରି ରୌପ୍ୟ ପଦକ ଜିତିଲେ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଏବଂ ସହାୟକ କର୍ମଚାରୀଙ୍କୁ ୩ ଲକ୍ଷ ଟଙ୍କା ମିଳିବ। ଭାରତ ବିଶ୍ଵକପରେ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ପାଇଲେ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ସହାୟକ କର୍ମଚାରୀଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଡିସେମ୍ବର ୨୪ ତାରିଖରେ ହକି ଇଣ୍ଡିଆ କାର୍ଯ୍ୟନିର୍ବାହୀ ବୋର୍ଡର ଏକ ଭର୍ଚୁଆଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।

“ହକି ବିଶ୍ୱକପରେ ପୋଡିୟମ ସମାପ୍ତ କରିବା ଏକ ସହଜ କାର୍ଯ୍ୟ ନୁହେଁ ଏବଂ ଆମେ ଆଶା କରୁଛୁ ଏହି ଘୋଷଣା ଭାରତୀୟ ପୁରୁଷ ହକି ଦଳର ମନୋବଳକୁ ଆହୁରି ବଢାଇବ। ଭାରତ ମାଟିରେ ବିଶ୍ଵକପ ଜିତିବା ଖେଳାଳିମାନଙ୍କ ଜୀବନର ଏକ ବଡ଼ ଉପଲବ୍ଧି ହେବ। ଆମେ ସେମାନଙ୍କୁ ୨୦୨୩ ହକି ବିଶ୍ଵକପରେ ଉତ୍ତମ ପ୍ରଦର୍ଶନ କରିବା ପାଇଁ ଶୁଭେଚ୍ଛା ଜଣାଉଛୁ” କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ।

ଏହି ସମ୍ମାନଜନକ ହକି ବିଶ୍ଵକପରେ ଭାରତ ପୂର୍ବରୁ ତିନୋଟି ପଦକ ଜିତିଛି। ୧୯୭୫ ମସିହାରେ ମାଲେସିଆର କୁଆଲାଲମ୍ପୁରରେ ଅନୁଷ୍ଠିତ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଭାରତ ଟାଇଟଲ ହାତେଇଥିଲା। ଏହାଛଡ଼ା ଭାରତୀୟ ଦଳ ୧୯୭୧ ମସିହାରେ ସ୍ପେନର ବାର୍ସିଲୋନାରେ ଆୟୋଜିତ ପ୍ରଥମ ବିଶ୍ଵକପ ସଂସ୍କରଣରେ ବ୍ରୋଞ୍ଜ ପଦକ ଜିତିଥିଲା। ଏହାପରେ ଭାରତ ୧୯୭୩ ମସିହାରେ ନେଦରଲାଣ୍ଡସର ଅମଷ୍ଟିଲିଭିନରେ ହୋଇଥିବା ଦ୍ଵିତୀୟ ବିଶ୍ଵକପରେ ରୌପ୍ୟ ପଦକ ଜିତିଥିଲା। ୧୯୭୫ ମସିହା ପରେ ହୋଇଥିବା ବିଶ୍ଵକପଗୁଡ଼ିକରେ ଭାରତ କୌଣସି ପଦକ ହାସଲ କରିପାରିନାହିଁ।

Tags: #Hockeymen’sWorldcup #IndianTeam #CashPrize #HockeyIndia #Dilliptirkey

 

Comment