ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ଦିନ ହୋଇଥିବା ଏହି ପରିବର୍ତ୍ତନରେ ୧୧ଟି ଜିଲ୍ଲାର ଏସପି ବଦଳିଛନ୍ତି। ଏହା ସହିତ ୩ଟି ଜିଲ୍ଲାର ଏସପିଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି।

ଆଜି ଆଇପିଏସ ସ୍ତରରେ ଅଦଳବଦଳ ହୋଇଥିବାବେଳେ ଜଗତସିଂପୁର ଜିଲ୍ଲା ଏସପି ଭାବେ କାର୍ଯ୍ୟରତ ଅଖିଳେଶ୍ଵର ସିଂଙ୍କୁ ପଦୋନ୍ନତି ମିଳିଛି। ଅଖିଳେଶ୍ଵର ସିଂଙ୍କୁ ଏସଏପି ଡିଆଇଜି ଭାବେ ନିଯୁକ୍ତ କରାଯାଇଛି। ସେହିପରି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ପଦୋନ୍ନତି ପାଇ ଅନୁଗୁଳ ଡିଆଇଜି ଭାବେ ନିଯୁକ୍ତ ହୋଇଛନ୍ତି। ଏହା ସହିତ ଭଦ୍ରକ ଏସପି ଚରଣସିଂ ମୀନାଙ୍କୁ ମଧ୍ୟ ପଦୋନ୍ନତି ମିଳିଛି। ତାଙ୍କୁ ଅଗ୍ନିଶମ ଏବଂ ହୋମଗାର୍ଡ ଡିଆଇଜି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

ବର୍ତ୍ତମାନ ବାଲେଶ୍ଵର ଏସପି ଭାବେ କାର୍ଯ୍ୟରତ ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସପି ଭାବେ ଏବଂ ଯାଜପୁର ଏସପି ଥିବା ରାହୁଲ ପିଆରଙ୍କୁ ଜଗତସିଂହପୁର ଏସପି ଭାବେ ନିଯୁକ୍ତ କରାଯାଇଛି।

ଏହା ସହିତ ଅନୁଗୁଳ ଏସପି ଥିବା ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସପି ଭାବେ ନିଯୁକ୍ତି ମିଳିଥିବାବେଳେ ଢେଙ୍କାନାଳ ଏସପି ଥିବା ଏଲ ଦିଭ୍ୟାଙ୍କୁ ଭିଜିଲାନ୍ସ ଏସପି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଏହା ସହିତ ନୂଆପଡ଼ା ଏସପି ଥିବା ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼ ଏସପି ଭାବେ ନିଯୁକ୍ତି ମିଳିଥିବାବେଳେ କନ୍ଧମାଳ ଏସପି ଥିବା ଭିନିତ ଅଗ୍ରଓ୍ଵାଲଙ୍କୁ ଯାଜପୁର ଏସପି ଭାବେ ବଦଳି କରାଯାଇଛି।

ସେହିପରି କୋରାପୁଟ ଏସପି ଥିବା ଭରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକର ନୂଆ ଏସପି ଭାବେ ନିଯୁକ୍ତି ମିଳିଥିବାବେଳେ ସୁନ୍ଦରଗଡ଼ ଏସପି ଥିବା ସାଗରିକା ନାଥଙ୍କୁ ବଦଳି କରାଯାଇ ବାଲେଶ୍ଵର ଏସପି ଭାବେ ନିଯୁକ୍ତ କରାଯାଇଛି।

ବାଲିଗୁଡ଼ା ଏସଡିପିଓ ଥିବା ଗୁଣ୍ଡାଲା ରେଡ୍ଡୀଙ୍କୁ ବଦଳି କରାଯାଇ ନୂଆପଡ଼ା ଏସପି ଭାବେ ନିଯୁକ୍ତ କରାଯାଇଛି। ସେହିପରି ମାଲକାନଗିରି ଏସଡିପିଓ ଥିବା ଶୁଭେନ୍ଦୁ ପାତ୍ରଙ୍କୁ କନ୍ଧମାଳ ଏସପି ଭାବେ ନିଯୁକ୍ତି ମିଳିଥିବାବେଳେ କେସିଙ୍ଗା ଏସିଡିପିଓ ଥିବା ଅଭିନବ ସୋନକାରଙ୍କୁ କୋରାପୁଟ ଏସପି ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ସ୍ପେସାଲ ବ୍ରାଞ୍ଚର ଏସପି ଥିବା ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସପି ଭାବେ ନିଯୁକ୍ତି ମିଳିଛି।

Tags: #OdishaGovt #IPSReshuffle #SP #SDPO #DIG #Promotion

Comment