ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷ ସେଲିବ୍ରେସନ୍‌ ସମୟରେ ନିରାପତ୍ତା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଭିଡିଓ ବାର୍ତ୍ତା ଦେଇ ଜନସାଧାରଣଙ୍କୁ ସଚେତନ କରିଛନ୍ତି। ସେ କହିଛନ୍ତି, “୨ ବର୍ଷ ପରେ ବିନା କରୋନା କଟକଣାରେ ନୂଆବର୍ଷ ପାଳନ ହେବାକୁ ଯାଉଛି। ତେଣୁ ସମସ୍ତେ ଖୁସି ଅଛନ୍ତି। ସମସ୍ତେ ସେଲିବ୍ରେସନ୍‌ ମୁଡ୍‌ରେ ଥିବାରୁ କିଛି ବ୍ୟକ୍ତି ଟ୍ରାଫିକ ନିୟମ ଭୁଲି ଯାଉଛନ୍ତି। ଯାହାକି ନିଜ ଓ ଅନ୍ୟ ବ୍ୟକ୍ତିଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ସମସ୍ତଙ୍କୁ ଅନୁରୋଧ କରୁଛି, ଦ୍ରୁତ ଗତିରେ ଗାଡ଼ି ଚଲାନ୍ତୁ ନାହିଁ ଓ ଟ୍ରାଫିକ ନିୟମ ପାଳନ କରନ୍ତୁ। ମଦ୍ୟପାନ କରି ଗାଡ଼ି ଚଲାନ୍ତୁ ନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଯଦି କୌଣସି ପାର୍ଟିକୁ ଯାଉଛନ୍ତି ତା’ହେଲେ ଡ୍ରାଇଭରଙ୍କୁ ସାଙ୍ଗରେ ନିଅନ୍ତୁ। ନୂଆବର୍ଷ ଦିନ ବିଭିନ୍ନ ସ୍ଥାନରେ ପୋଲିସ୍‌ର କଡ଼ାକଡ଼ି ଚେକିଂ ହେବ। ମଦ୍ୟପାନ କରି ଗାଡ଼ି ଚଲାଇବା ଓ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ବେଳେ ଯେଉଁମାନେ ଧରାପଡ଼ିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଦିନ ଓ ଜାନୁଆରୀ ୧ ତାରିଖ ଦିନ ଟ୍ରାଫିକ ଜାମ୍‌ ଅଧିକ ରହିପାରେ ବୋଲି ଆଶଙ୍କା କରାଯାଉଛି। ବିଶେଷ କରି ଜନପଥ, ନନ୍ଦନକାନନ ରୋଡ୍‌, କଟକ ରୋଡ୍‌, ରସୁଲଗଡ଼ ଏସବୁ ଅଞ୍ଚଳରେ ଟ୍ରାଫିକ୍‌ ଜାମ୍‌ ଅଧିକ ରହିପାରେ।”

ଗାଡ଼ିସବୁ ଠିକ୍‌ ସ୍ଥାନରେ ପାର୍କିଂ ଓ ଲକ୍‌ କରନ୍ତୁ। ରାସ୍ତାରେ ଗାଡ଼ି ଛାଡ଼ି ଯାଆନ୍ତୁ ନାହିଁ। ରାସ୍ତା ଉପରେ ନୋ ପାର୍କିଂ ଏରିଆରେ ଗାଡ଼ି ରଖନ୍ତୁ ନାହିଁ ବୋଲି ଭୁବନେଶ୍ଵର ଡିସିପି ପ୍ରତୀକ ସିଂହ ଅପିଲ କରିଛନ୍ତି।

Tags: #NewYearCelebrations #Bhubaneswar #DCP #PrateekSingh #TrafficRule #ZeroNightCelebration

Comment