ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପଞ୍ଚମ ଦିନରେ ପହଞ୍ଚିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ତଥା ଅଲୌକିକ ଶକ୍ତି ଦିନକୁ ଦିନ ଗୋପପୁର ସମେତ ଆଖ ପାଖ ଅଞ୍ଚଳରେ ପ୍ରଚାରିତ ହେବାକୁ ଲାଗିଛି। ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନରେ କୃଷ୍ଣ-ବଳରାମଙ୍କ ବାଲ୍ୟ ଲୀଳା ଅଭିନୀତ ହୋଇଥିଲା। କୃଷ୍ଣବଳରାମ ଗୋପାଳ ବାଳକଙ୍କ ସହିତ ଗୋଚାରଣ କରି ବଣଭୋଜି କରିବାର ଦୃଶ୍ୟ ବେଶ ଉପଭୋଗ୍ୟ ହୋଇପାରିଛି। ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣ ସଖା ସୁଦାମଙ୍କ ଖୁଦ ଭଜା ଖାଇବା ଦୃଶ୍ୟ ହୃଦୟସ୍ୱର୍ଶୀ ଥିଲା।

ପରେ ପରେ କୃଷ୍ଣ ଦହିହାଣ୍ଡି ଭାଙ୍ଗି ଦେବାରୁ ମା’ ଯଶୋଦା କୃଷ୍ଣଙ୍କୁ ବୃକ୍ଷରେ ବାନ୍ଧି ଦେଇଥିବାବେଳେ ଭଗବାନ ଶ୍ରୀକୃଷ୍ଣ ଶାପଗ୍ରସ୍ତ ଦୁଇ ଗର୍ନ୍ଧବ ଭାଇ ଯାମଳାର୍ଜୁନଙ୍କୁ ମୁକ୍ତ କରିଛନ୍ତି। କୃଷ୍ଣଙ୍କୁ ବ୍ରହ୍ମା ମୋହନ ବଇଂଶୀ ପ୍ରଦାନ କରିଥିବାବେଳେ କାଳିନ୍ଦ୍ରୀ ହ୍ରଦକୁ ପଦ୍ମ ଫୁଳ ତୋଳିବାକୁ ଯାଇ କାଳୀୟ ନାଗର ଦର୍ପ ଦଳନ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ। ଅନ୍ୟ ପକ୍ଷରେ ମଥୁରା ନଗରୀରେ ମହାରାଜା କଂସ ବିବ୍ରତ ହୋଇ ପଡ଼ିଛନ୍ତି ଷଡ଼ମଲ୍ଲଙ୍କ ମୁତ୍ୟୁକୁ ନେଇ।

ଏହା ସହ ମଗଧ ରାଜା ଜରାସନ୍ଧକୁ ଯୁଦ୍ଧରେ ପରାସ୍ତ କରି ତା’ର ଦୁଇ କନ୍ୟାକୁ ବିବାହ କରିଛନ୍ତି ମଥୁରାଧିପତି ମହାରାଜା କଂସ। ପଞ୍ଚମ ଦିନରେ ଚିନ୍ତିତ କଂସ ରାଜ ଦରବାରରେ ନୃତ୍ୟ ଗୀତରେ ମସଗୁଲ ରହିବା ସହ କୁଷ୍ଣବଳରାମ ବେନୀ ଭାଇଙ୍କୁ କିପରି ହତ୍ୟା କରିବେ ସେ ନେଇ ମହାମନ୍ତ୍ରୀଙ୍କ ସହ ଆଲୋଚନା କରି ନାରଦଙ୍କ ପରାମର୍ଶ କ୍ରମେ କରଦ ରାଜାମାନଙ୍କୁ ଆମନ୍ତ୍ରଣ କରିବା ପାଇଁ ଯୋଜନା କରିଛନ୍ତି।

Tags: #BargarhDhanujatra #WorldFamousBargarhDhanujatra #KansaMaharaj #ShreeKrishna #KaliyaDalana #Culture

LEAVE A REPLY

Please enter your comment!
Please enter your name here