ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦାୟ ନେଇଛି ବର୍ଷ ୨୦୨୨। ନୂଆ ଆଶା, ନୂଆ ସମ୍ଭାବନା ଓ ନୂଆ ଉନ୍ମାଦନା ନେଇ ଆସିଛି ନୂଆବର୍ଷ ୨୦୨୩। ପୁରୁଣା ବର୍ଷକୁ ବିଦାୟ ଦେବା ସହ ଅଭୁଲା ସ୍ମୃତି ଓ ଅଭୁଲା ଅନୁଭୂତିକୁ ସାଙ୍ଗରେ ଧରି ନୂଆବର୍ଷରେ କିଛି ନୂଆ ସଂକଳ୍ପରୁ ଆରମ୍ଭ ହୋଇଛି ବର୍ଷ। ନୂଆ ଆଶା ଏବଂ ନୂଆ ସମ୍ଭାବନା ନେଇ ଆସିଥିବା ୨୦୨୩ ବର୍ଷଟି ସମସ୍ତଙ୍କ ପାଇଁ ଶୁଭପ୍ରଦ ହେଉ ସେଥିପାଇଁ ଶ୍ରୀମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼।

କୋଭିଡ ମହାମାରୀ ପାଇଁ ଦୁଇ ବର୍ଷ ହେଲା ପାଳନ ହୋଇପାରି ନଥିଲା ନୂଆ ବର୍ଷ। ଚଳିତ ଥର ନୂଆବର୍ଷ ପାଳନ କରିବାକୁ ଚାହିଁ ରହିଥିବା ଲୋକଙ୍କ ପାଇଁ ଏ ବର୍ଷ ସୁଯୋଗ ମିଳିଛି। ଡିସେମ୍ବର ୩୧ ତାରିଖ ରାତି ୧୨ଟାରୁ ଆରମ୍ଭ ହୋଇଛି ସେଲିବ୍ରେସନ। ବାଣ ଫୁଟାଇ, ବାଜା ବଜାଇ, କେକ୍‌ କାଟି ପରସ୍ପରକୁ ଶୁଭେଚ୍ଛା ଜଣାଇ ନୂଆବର୍ଷକୁ ସ୍ୱାଗତ କରାଯାଇଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀରେ ପହଞ୍ଚିଛନ୍ତି ହଜାର ହଜାର ଭକ୍ତ। କୋଭିଡ କଟକଣା ପାଇଁ ଦୁଇ ବର୍ଷ ହେଲା ଠିକ୍ ଭାବେ ଲୋକେ ନୂଆ ବର୍ଷ ପାଳନ କରିପାରି ନଥିଲେ। ଚଳିତ ବର୍ଷ କଟକଣା ମୁକ୍ତ ନୂଆ ବର୍ଷ ପାଳନ କରାଯାଉଥିବାରୁ ଘରେ ଘରେ ଦେଖିବାକୁ ମିଳିଛି ଖୁସିର ମାହୋଲ। ଏ ବର୍ଷ ନୂଆବର୍ଷ ରବିବାର ପଡ଼ୁଥିବାରୁ ଆହୁରି ଖୁସି ହୋଇଛନ୍ତି ଲୋକ। କାରଣ ଘରେ ଘରେ ପିଠାପଣାଠାରୁ ଆରମ୍ଭ କରି ମନପସନ୍ଦର ଆମିଷ ରାନ୍ଧଣା ହୋଇଛି। ସମସ୍ତଙ୍କର ଆଶା ଚଳିତ ବର୍ଷଟି ଫଳପ୍ରଦ ହେଉ।

Tags: #NewYear2023 #Celebration #HappyNewYear

LEAVE A REPLY

Please enter your comment!
Please enter your name here