ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ପୁରୁଷ ବିଶ୍ୱକପ ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଜିଲ୍ଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଉପଖଣ୍ଡର ୯ଟି ବ୍ଲକରୁ ୪୦ଟି ସାଂସ୍କୃତିକ ଦଳ ଭାଗ ନେଇଥିଲେ। ଝୁମେର, କରମା, ଖଡିଆ, ଓରାମ, କିସାନ ନୃତ୍ୟ ସହିତ ପାଲା ଓ ସଂକୀର୍ତ୍ତନ ଆଦି ପ୍ରଦର୍ଶନ କରିଥିଲେ ସାଂସ୍କୃତିକ ଦଳ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ କଳାକାରମାନଙ୍କ ପାରମ୍ପରିକ ବେଶଭୂଷା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା।

କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ହକିକୁ ନେଇ ସ୍ୱତନ୍ତ୍ର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। କଳାକାରମାନେ ହାତରେ ହକି ଷ୍ଟିକ୍ ଧରି ନୃତ୍ୟ ପରିବେଷଣ କରିବା ସହ ହକି ପୁରୁଷ ବିଶ୍ୱକପକୁ ସ୍ୱାଗତ କରିଥିଲେ।

ଆସନ୍ତା ୫ ତାରିଖରେ ରାଉରକେଲାସ୍ଥିତ ଭଞ୍ଜ ଭବନଠାରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବଣାଇଁ ଏବଂ ପାନପୋଷ ଉପଖଣ୍ଡର ୩୬ଟି ସାଂସ୍କୃତିକ ଦଳ ଭିତରେ ପ୍ରତିଯୋଗିତା କରାଯିବ। ଉଭୟ ପ୍ରତିଯୋଗିତାରୁ ଚୟନ ହୋଇଥିବା ମୋଟ ୧୦ଟି ଦଳକୁ ନେଇ ଜାନୁଆରି ୭ରେ ଚୂଡ଼ାନ୍ତ ପ୍ରତିଯୋଗିତା ହେବ।

Tags: #HockeyWorldCup2023 #Sundargarh #CulturalCompetition

Comment