ଓଡ଼ିଶାଲାଇଭ୍ ବ୍ୟୁରୋ

ଡେରାଡୁନରୁ ମୁମ୍ବାଇକୁ ଏୟାରଲିଫ୍ଟ ହେବେ କ୍ରିକେଟର ଋଷଭ ପନ୍ତ। ଉନ୍ନତ ଚିକିତ୍ସା ପାଇଁ ଋଷଭଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଏବେ ସେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦିଲ୍ଲୀ ଆଣ୍ଡ୍‌ ଡିଷ୍ଟ୍ରିକ୍ଟ୍‌ କ୍ରିକେଟ୍‌ ଆସୋସିଏସନ୍‌ (ଡିଡିସିଏ)ର ନିର୍ଦ୍ଦେଶକ ଶ୍ୟାମ ଶର୍ମା ଏହି ସୂଚନା ଦେଇଛନ୍ତି।

“ଋଷଭ ପନ୍ତଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ଧ୍ୟାନ ରଖାଯାଉଛି। ଆମେ ମେଡିକାଲ୍‌ ଟିମ୍‌ ସହିତ ସମ୍ପର୍କରେ ରହିଛୁ। ପନ୍ତଙ୍କ ସ୍ନାୟୁତନ୍ତ୍ରୀ ଆଘାତ ପାଇଥିବାରୁ ଭଲ ହେବା ପାଇଁ ସମୟ ଲାଗିବ। ସେଥିପାଇଁ ତାଙ୍କୁ ଯଥାସମ୍ଭବ ସର୍ବୋତ୍ତମ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯିବ”, କହିଛନ୍ତି ଡିଡିସିଏ ନିର୍ଦ୍ଦେଶକ ଶ୍ୟାମ ଶର୍ମା।

ଡିସେମ୍ବର ୩୦ ତାରିଖରେ ଋଷଭ ପନ୍ତ ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା ବେଳେ ରୁଡକୀଠାରେ ତାଙ୍କର ମର୍ସିଡିଜ୍‌ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ କାର୍‌ଟି ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା। ଋଷଭ ପନ୍ତଙ୍କ ମୁଣ୍ଡ, ପିଠି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ଦିଲ୍ଲୀ ରୋଡସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସାପରେ ଋଷଭଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ପଠା ଯାଇଥିଲା।

Tags: #Cricketer #RishabhPant #Airlift #Mumbai #RoadAccident #Hospitalised #Injuries #Uttarakhand

Comment