ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରୁ ରାଉରକେଲାକୁ ବିମାନ ସେବା ଆରମ୍ଭ ହୋଇଛି। ଶନିବାର ସକାଳ ୧୦ଟା ୪୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରୀଙ୍କୁ ଧରି ଉଡ଼ାଣ ଆରମ୍ଭ କରିଛି ଆଲାଏନ୍ସ ଏୟାର ବିମାନ। ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ ବେସାମରିକ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବିମାନ ସେବାର ଶୁଭାରମ୍ଭ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପତାକା ଦେଖାଇ ଭୁବନେଶ୍ଵରରୁ ରାଉରକେଲାକୁ ବିମାନ ସେବାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ। ଦିନ ୧୦ଟା ୪୫ ମିନିଟରେ ଭୁବନେଶ୍ଵରରୁ ଉଡ଼ାଣ ଆରମ୍ଭ କରିଥିବା ଆଲାଏନ୍ସ ଏୟାର ବିମାନ ୧୧ଟା ୪୦ ମନିଟରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିବ। ଏହାପରେ ୧୨ଟା ୫ ମିନିଟରେ ରାଉରକେଲାରୁ ବାହାରି ଦିନ ୧ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବ ଆଲାଏନ୍ସ ଏୟାର ବମାନ।

ଆସନ୍ତା ୧୨ ତାରିଖରୁ ରାଉରକେଲାକୁ ଦୈନିକ ଉଡାଣ ଜାରି ରହିବ। ପ୍ରତିଦିନ ଏହି ବିମାନ ଭୁବନେଶ୍ଵରରୁ ଦିନ ୨ଟା ୫୫ ମିନିଟରେ ଉଡ଼ାଣ ଆରମ୍ଭ କରି ରାଉରକେଲା ବିମାନ ବନ୍ଦରରେ ଦିନ ୩ଟା ୫୦ ମିନିଟରେ ଅବତରଣ କରିବ।

ହେସିପରି ରାଉରକେଲାରୁ ଅପରାହ୍ଣ ୪ଟା ୧୫ ମିନିଟରେ ବାହାରି ସନ୍ଧ୍ୟା ୫ଟା ୧୦ ମିନିଟରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବ। ଭୁବନେଶ୍ଵରରୁ ରାଉରକେଲା ବିମାନ ଯାତ୍ରା ଲାଗି ଟିକେଟ ମୂଲ୍ୟ ରହିଛି ୨,୮୦୩ ଟଙ୍କା। ସେହିଭଳି ରାଉରକେଲାରୁ ଭୁବନେଶ୍ଵରକୁ ଯାତ୍ରା ନିମନ୍ତେ ଟିକେଟର ମୂଲ୍ୟ ରହିଛି ୨, ୭୨୧ ଟଙ୍କା। ଏହି ବିମାନରେ ୭୨ ସିଟର ବ୍ୟବସ୍ଥା ରହିଛି।

ଓଡ଼ିଶା ସରକାର, ସେଲ, ବେସାମରିକ ବିମାନ ଚଳାଚନ ମନ୍ତ୍ରାଳୟ, କେନ୍ଦ୍ର ସରକାର ଏବଂ ବିମାନବନ୍ଦର ପ୍ରାଧିକରଣର ମିଳିତ ଉଦ୍ୟମରେ ଉଡ଼ାଣ ଯୋଜନାରେ ରାଉରକେଲା ବିମାନବନ୍ଦରକୁ ନିର୍ଦ୍ଧାରିତ ବାଣିଜ୍ୟିକ ବିମାନ ଚଳାଚଳ ନିମନ୍ତେ ଲାଇସେନ୍ସ ପ୍ରଦାନ କରାଯାଇଛି। ଆଲିଆନ୍ସ ଏୟାର ପକ୍ଷରୁ ଭୁବନେଶ୍ଵର ଏବଂ ରାଉରକେଲା ମଧ୍ୟରେ ନିର୍ଦ୍ଧାରିତ ବିମାନ ଚଳାଚଳ କରିବ।

Tags: #AllianceAir #AirServicetoRourkela #CMOdisha #CivilAviationMinister #Bhubaneswar

Comment