ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପ ହକିର ଚିତ୍ତାକର୍ଷକ ଉଦଘାଟନୀ ଉତ୍ସବ ଆୟୋଜନ କରି ଓଡ଼ିଶା ସମଗ୍ର ବିଶ୍ଵରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି।  ଓଡ଼ିଶା ଇତିହାସରେ ଯୋଡି ହୋଇଛି ଆଉ ଏକ ନୂତନ ଅଧ୍ୟାୟ। ଏହାର ସାକ୍ଷୀ ହୋଇଛି କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ। ବିଶ୍ଵକପ ଉଦଘାଟନୀ ଉତ୍ସବରେ ସମଗ୍ର ବିଶ୍ଵ ଦେଖିଛି ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ଝଲକ। ବଲିଉଡ୍ ଷ୍ଟାର୍ ରଣବୀର ସିଂହ, ଦିଶା ପଟାନୀଙ୍କ ନୃତ୍ୟର ତାଳେତାଳେ ଝୁମିଛନ୍ତି ଦର୍ଶକ।

କଟକର ବାରବାଟୀ ଷ୍ଟାଡିୟମରେ ବୁଧବାର ପୁରୁଷ ହକି ବିଶ୍ଵକପ ୨୦୨୩ର  ଭବ୍ୟ ଉଦଘାଟନୀ ସମାରୋହ ସମସ୍ତଙ୍କୁ ଆକର୍ଷିତ କରିଛି। ଓଡ଼ିଶା, ବଲିଉଡ ତଥା ବିଦେଶୀ କଳାକାରଙ୍କର ଆକର୍ଷଣୀୟ ନୃତ୍ୟଗୀତ ଭାରତ ତଥା ବିଦେଶରୁ ଆସିଥିବା ଅତିଥିମାନଙ୍କୁ ଚକିତ କରି ଦେଇଛି। ଏହି ଭବ୍ୟ ଉଦଘାଟନୀ ଉତ୍ସବରେ ୩୫ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଛି। ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଧରି କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି ଦର୍ଶକ।

ନୃତ୍ୟ, ଗୀତର ଆସର ଜମାଇଲେ ଓଡ଼ିଆ କଳାକାର 

ବାରବାଟୀରେ ଅପରାହ୍ଣ ୩ ଟାରୁ ଆରମ୍ଭ ହୋଇଥିଲା ଉଦଘାଟନୀ ଉତ୍ସବ। ଓଡ଼ିଆ ସିନେ ତାରକା ସବ୍ୟସାଚୀ-ଅର୍ଚ୍ଚିତା ମଞ୍ଚ ଉପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନୃତ୍ୟ ଗୁରୁ ଅରୁଣା ମହାନ୍ତିଙ୍କ ତତ୍ୱାବଧାନରେ ଓଡ଼ିଶାର କଳାକାରମନେ ରାଜ୍ୟର ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ। ଓଡ଼ିଶାର ତାରକା କଣ୍ଠ ଶିଳ୍ପୀ ଋତୁରାଜ ମହାନ୍ତି, ସୁନିତି ମିଶ୍ର ଏବଂ ଲିସା ମିଶ୍ରଙ୍କ ଗୀତରେ ଦୁଲୁକିଥିଲା ବାରବାଟୀ ଷ୍ଟାଡିୟମ। ଉଭୟ ଓଡ଼ିଆ ଓ ହିନ୍ଦୀରେ ଜମିଥିଲା ନୃତ୍ୟଗୀତର ଆସର।

‘ହକି ହୈ ଦିଲ ମେରା’ ଗୀତରେ ଝୁମିଲେ ଦର୍ଶକ

ଉଦ୍‌ଘାଟନୀ ସମାରୋହକୁ ଆଉ ଏକ ଅନନ୍ୟ ସ୍ତରକୁ ନେଇଥିଲା ବଲିଉଡ ଷ୍ଟାର ନାଇଟ। ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ ପ୍ରୀତମଙ୍କ ସହ ଅନ୍ୟ ବଲିଉଡ ଗାୟକ ଗାୟିକାଙ୍କ ପ୍ରଦର୍ଶନରେ କମ୍ପିଥିଲା ବାରବାଟୀ। ‘ହକି ହୈ ଦିଲ ମେରା’ ଗୀତରେ ଝୁମିଥିଲେ ଦର୍ଶକ। ଏହାପରେ ବ୍ଲାକ୍ ସ୍ବାନ୍ ଗ୍ରୁପ୍‌ର ନୃତ୍ୟ ଓ ସଂଗୀତ ସାଙ୍ଗକୁ ଆକର୍ଷଣୀୟ ଲେଜର୍ ସୋ, ଆତସବାଜୀ ପ୍ରଦର୍ଶନ ଲୋକମାନଙ୍କ ମନ ମୋହିଥିଲା। ଆକାଶରୁ ଓହ୍ଲାଇ ରଣବୀର ସିଂହଙ୍କ ନୃତ୍ୟ ପରିବେଶଣ ସମ୍ପୂର୍ଣ୍ଣ ଷ୍ଟାଡିୟମକୁ ବାନ୍ଧି ରଖିଥିଲା

ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ସିଂ ଠାକୁର, ଆନ୍ତର୍ଜାତିକ ହକି ମହାସଙ୍ଘର ସଭାପତି ତୟାବ ଇକ୍ରମ ଓ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥିମାନେ ସମସ୍ତଙ୍କ ସମ୍ମୁଖରେ ହକି ବିଶ୍ଵକପ ଟ୍ରଫିର ପ୍ରଦର୍ଶନ କରିଥିଲେ।

“ମୁଁ ପୂର୍ବରୁ ହକି ବିଶ୍ଵକପର ଅନେକ ଆୟୋଜନ ଦେଖିଛି, ହେଲେ ଏଭଳି ଆୟୋଜନ ହୋଇଥିବାର କେଉଁଠାରେ ଦେଖିନାହିଁ। ଏହା ଏକ ଭବ୍ୟ ଆୟୋଜନ। ଓଡ଼ିଶା ସରକାରଙ୍କ ଏଭଳି ଆୟୋଜନକୁ ସମସ୍ତେ ପ୍ରଶଂସା କରିଛନ୍ତି। କେବଳ ଭାରତ ପାଇଁ ନୁହେଁ ସମଗ୍ର ବିଶ୍ଵ ହକିକୁ ଓଡ଼ିଶା ଏକ ନୂଆ ଉପହାର ଦେଇଛି”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।

“ଓଡ଼ିଶା ନିଜର ଆତିଥେୟତାକୁ ‌ନେଇ ପ୍ରସିଦ୍ଧ। ଏହି ହକି ବିଶ୍ଵକପର ଆୟୋଜନ ଅବସରରେ ଓଡ଼ିଶାକୁ ଆସିଥିବା ଅତିଥିମାନେ ଏହି ପରିଚୟକୁ ଆହୁରି ଆଗକୁ ନେବାରେ ସହାୟକ ହେବେ। ଦ୍ଵିତୀୟ ଥର ଓଡ଼ିଶାରେ ହକି ବିଶ୍ଵକପ ଆୟୋଜନ ପାଇଁ ସହଯୋଗ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଚିରାଚରିତ ଢଙ୍ଗରେ ‘ଆପଣ ମାନେ ଖୁସି ତ’ ପଚାରିବା ପରେ ଦର୍ଶକଙ୍କ ଧ୍ୱନିରେ କମ୍ପିଥିଲା ବରବାଟୀ ଷ୍ଟାଡିୟମ।

ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ୫ଟି ସଚିବ ଭି କେ ପାଣ୍ଡିଆନ, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ପ୍ରମୁଖ ଯୋଗ ଦେଇଥିଲେ।

Tags: #HockeyWorldCup2023 #OpeningCeremony #celebration #Pritam #BlackSwanGroup #BarabatiStadium #RanveerSingh #DishaPatni #Odisha

Comment