ଆଶିଷ କୁମାର ରାୟ

ସୁନ୍ଦରଗଡ଼ ଜିଲ୍ଲାର ଅଖ୍ୟାତ ପଲ୍ଲୀ ସଉନାମରା ଗାଁ, ଓଡ଼ିଶାକୁ ଭେଟି ଦେଇଛି ଅନେକ ହକି ତାରକା। ସେମାନେ ଯେ କେବଳ ଓଡ଼ିଶାକୁ ଗର୍ବିତ କରିଛନ୍ତି ତା’ ନୁହେଁ, ଭାରତ ପାଇଁ ମଧ୍ୟ ଗୌରବ ଆଣିଛନ୍ତି। ସଉନାମରା ମାଟିରେ ଜନ୍ମ ହୋଇଥିବା ଜଣେ ପ୍ରସିଦ୍ଧ ହକି ତାରକା ହେଉଛନ୍ତି ଅମିତ ରୋହିଦାସ।

ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ସଉନାମରା ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି ହକି ହିରୋ ଦିଲ୍ଲୀପ ତିର୍କୀ, ସୁଭଦ୍ରା ପ୍ରଧାନ, ଦୀପସାନ ତିର୍କୀ ଓ ବିପିନ କେର୍କେଟାଙ୍କ ଭଳି କ୍ରୀଡ଼ାବିତ। ଏମାନେ ସମସ୍ତେ ଭାରତୀୟ ହକି ଦଳରେ ସାମିଲ ହେବା ସହିତ ନିଜ ନିଜ ନୈସର୍ଗିକ ପ୍ରତିଭାର ସୌରଭ ବିଚ୍ଛୁରିତ କରିଛନ୍ତି ସମଗ୍ର ହକି ଜଗତରେ। ଏମାନଙ୍କ ମଧ୍ୟରୁ ଦିଲ୍ଲୀପ ତିର୍କୀ ଓ ସୁଭଦ୍ରା ପ୍ରଧାନ ଯଥାକ୍ରମେ ଭାରତୀୟ ପୁରୁଷ ଓ ମହିଳା ଦଳର ନେତୃତ୍ୱ ମଧ୍ୟ ନେଇଛନ୍ତି। ଆଉ ଦିଲ୍ଲୀପ ତିର୍କୀ ଏବେ ହକି ଇଣ୍ଡିଆର ଅଧ୍ୟକ୍ଷ।

ସେହି ସଉନାମରା ଗ୍ରାମରୁ ବାହାରିଥିବା ଅନ୍ୟ ଜଣେ ପ୍ରସିଦ୍ଧ ହକି ତାରକା ହେଉଛନ୍ତି ଅମିତ ରୋହିଦାସ। ଦିଲ୍ଲୀପ ତିର୍କୀ ତାଙ୍କ କ୍ରୀଡ଼ା ଜୀବନରେ ଭାରତ ପାଇଁ ସର୍ବାଧିକ ୪୧୨ଟି ଆନ୍ତର୍ଜାତିକ ମ୍ୟାଚ ଖେଳିବା ସହିତ ଅନେକ ସଫଳତା ହାସଲ କରିଛନ୍ତି। ତେବେ ଅମିତ ରୋହିଦାସ ତାଙ୍କର କିଛି ବର୍ଷର କ୍ରୀଡ଼ା ଜୀବନରେ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ଦିଲ୍ଲୀପ ତିର୍କୀଙ୍କ ଭାଗ୍ୟରେ ଜୁଟିନାହିଁ। ତାହା ହେଲା ଅଲିମ୍ପିକରେ ପଦକ ଜିତିବାର ସଫଳତା।

ଅଲିମ୍ପିକ ପଦକ ବିଜୟୀ ତାରକା ଅମିତ

୧୯୮୦ର ମସ୍କୋ ଅଲିମ୍ପିକରେ ସ୍ୱର୍ଣ୍ଣପଦକ ଜିତିବାର ୪୧ବର୍ଷ ପରେ, ୨୦୨୧ର ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜପଦକ ହାସଲ କରିପାରିଛି। ମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଏହି ଦଳରେ ସୁନ୍ଦରଗଡ଼ ଜିଲ୍ଲାର ଦୁଇଜଣ ଖେଳାଳି ସାମିଲ ରହିଥିଲେ। ସେମାନେ ଚିର ଈପ୍ସିତ ଅଲିମ୍ପିକ ପଦକ ନିଜ ଗଳାରେ ଧାରଣ କରିବାର ସୌଭଗ୍ୟ ହାସଲ କରିଛନ୍ତି। ସେହି ଦୁଇଜଣ ଓଡ଼ିଆ ଖେଳାଳି ହେଉଛନ୍ତି – ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ।

ଅଲିମ୍ପିକର କ୍ରୀଡ଼ାଙ୍ଗନରେ ପଦକ ଜିତିବାର ଏଭଳି ବିରଳ ଗୌରବ ଏ ଦୁହିଁଙ୍କ ବ୍ୟତୀତ ଓଡ଼ିଶାର ଅନ୍ୟ କୌଣସି କ୍ରୀଡ଼ାବିତଙ୍କ ଭାଗ୍ୟରେ ଜୁଟି ନାହିଁ। ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ହକି ଦଳ ଗ୍ରୁପ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ, ସ୍ପେନ, ଆର୍ଜେଣ୍ଟିନା ଓ ଜାପାନକୁ ପରାସ୍ତ କରିଥିଲା। ଦଳ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ପରାସ୍ତକରି ସେମି ଫାଇନାଲରେ ପ୍ରବେଶ କରିଥିଲା। ସେମିରେ ବେଲଜିୟମ ହାତରୁ ପରାଜିତ ହେବା ପରେ ବ୍ରୋଞ୍ଜପଦକ ପାଇଁ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଦେଇଥିଲା।

୪୧ ବର୍ଷ ପରେ ଅଲିମ୍ପିକରେ ମିଳିଥିବା ଏହି ସଫଳତାକୁ ଭାରତୀୟ ହକିର ପୁନରୁତ୍ଥାନ ବୋଲି ଅନେକେ ବିଶ୍ୱାସ କରୁଛନ୍ତି। ଆଉ ନିଶ୍ଚିତ ଭାବେ ଏହି ପୁନରୁତ୍ଥାନର ଅନ୍ୟତମ ସାରଥି ହେଉଛନ୍ତି ଅମିତ ରୋହିଦାସ। ନିଜ ଦଳର ରକ୍ଷଣପଂକ୍ତିକୁ ସମ୍ଭାଳିବା ସହିତ ବିପକ୍ଷ ଦଳର  ଅନେକ ପେନାଲ୍ଟି କର୍ନରକୁ ଅତି ସୁନ୍ଦର ଭାବେ ଅଟକାଇ ଭାରତକୁ ବିଜୟଶ୍ରୀ ମଣ୍ଡିତ କରାଇାବରେ ସେ ଗ୍ରହଣ କରିଛନ୍ତି ପ୍ରମୁଖ ଭୂମିକା।

ଅନ୍ୟ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ସଫଳତା       

କେବଳ ଅଲିମ୍ପିକ ନୁହେଁ ୨୦୧୭ ମସିହାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ୱାର୍ଲ୍ଡ ହକି ଲିଗରେ ବ୍ରୋଞ୍ଜପଦକ, ୨୦୧୮ ମସିହାରେ ନେଦରଲାଣ୍ଡସର ବ୍ରେଡାଠାରେ ଅନୁଷ୍ଠିତ ଚାମ୍ପିଆନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ରୌପ୍ୟପଦକ ଏବଂ ୨୦୨୧-୨୨ ମସିହାରେ ଏଫ.ଆଇ.ଏଚ. ପ୍ରୋ ଲିଗରେ ବ୍ରୋଞ୍ଜପଦକ ବିଜୟୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଭାବେ ରହିବା ଅମିତ ରୋହିଦାସଙ୍କ ବହୁତ ବଡ଼ ସଫଳତା। ନିଜ ଗଳାରେ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟମାନଙ୍କର ପଦକ ଧାରଣ କରିବାର ଅନୁଭୂତି ନିଶ୍ଚିତ ଭାବେ ନିଆରା।

ବିଶ୍ୱ ହକି ସଂଘ ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ମିଳିଥିବା କୃତିତ୍ୱ ବ୍ୟତୀତ ୨୦୧୭ ମସିହାରେ ବାଂଲାଦେଶର ଢାକାଠାରେ ଖେଳାଯାଇଥିବା ଏସିଆ କପରେ ଚାମ୍ପିୟନ ହେବା ମଧ୍ୟ କିଛି କମ ସଫଳତା ନୁହେଁ। ଏହି ପ୍ରତିଯୋଗିତାର ଫାଇନାଲରେ ଭାରତ ୬-୨ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା। ସମୁଦାୟ ଟୁର୍ଣ୍ଣାମେଣ୍ଟରେ ଅମିତ ରୋହିଦାସ ଚମତ୍କାର ପଦର୍ଶନ କରି ବିପକ୍ଷ ଦଳରେ ଅନେକ ଆକ୍ରମଣକୁ ପଣ୍ଡ କରିବା ସହିତ ଗୋଲ ମଧ୍ୟ ସ୍କୋର କରିଥିଲେ।

ମାଲେସିଆର ଇପୋରେ ଆୟୋଜିତ ୨୦୧୩ ମସିହାର ପୂର୍ବବର୍ତ୍ତୀ ଏସିଆ କପରେ ରୌପ୍ୟ ପଦକ, ସେହିଠାରେ ଅୟୋଜିତ ୨୦୧୯ ମସିହାର ସୁଲତାନ ଆଜଲାନ ଶାହ ହକିରେ ରୌପ୍ୟ ପଦକ ଏବଂ ବର୍ମିଙ୍ଗହାମରେ ଆୟୋଜିତ ୨୦୨୨ ମସିହାର ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକି ମୁକାବିଲାରେ ରୌପ୍ୟପଦକ ମଧ୍ୟ ମିଳିଛି ଅମିତ ରୋହିଦାସଙ୍କୁ।

ପ୍ରାରମ୍ଭିକ କ୍ରୀଡ଼ା ଜୀବନ

୧୯୯୩ ମସିହା ମେ’ ୧୦ ତାରିଖରେ ପିତା ଗୋପାଳ ରୋହିଦାସ ଓ ମା’ ଗୁଲାପିଙ୍କର କନିଷ୍ଠ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ ଅମିତ ରୋହିଦାସ। ଖୁବ କମ ବୟସରୁ ହକି ଖେଳ ପ୍ରତି ଆକୃଷ୍ଟ ହେବାପରେ ସେ ପାନପୋଷର କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ନେଇଥିଲେ। ଅତ୍ୟନ୍ତ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଅମିତ। ନିଜର ଦୃଢ଼ ମନୋବଳ ଏବଂ ଆଗକୁ ବଢ଼ିବାର ଅଦମ୍ୟ ଇଚ୍ଛାଶକ୍ତି ଯୋଗୁଁ ସେ ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ବଢ଼ିବାକୁ ଲାଗିଲେ।

ଜୁନିଅର ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ କରିବା ସହିତ ଜାତୀୟ ସ୍କୁଲ ଗେମ୍ସ ତଥା ନେହେରୁ କପରେ ସଫଳତା ହାସଲ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସମର୍ଥ ହୋଇଥିଲେ। ଏହାପରେ ୨୦୧୧ ମସିହାରୁ ସିନିଅର ସ୍ତରରେ ଖେଳିବା ଆରମ୍ଭ କରି ନ୍ୟାସନାଲ ଗେମ୍ସ ଏବଂ ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ଖେଳି ନିଜର ଚମତ୍କାରିତା ଦେଖାଇଥିଲେ।

୨୦୧୨ ମସିହାରେ ମାଲେସିଆରେ ଅନୁଷ୍ଠିତ ଜୁନିଅର ଏସିଆ କପରେ ଭାରତୀୟ ଦଳର ପ୍ରତିନିଧିତ୍ଵ କରିଥିଲେ ଅମିତ। ଏହାର ପରବର୍ଷ ସେ ସିନିଅର ହକି ଦଳର ସଦସ୍ୟ ହେବାର ସୌଭାଗ୍ୟ ମଧ୍ୟ ଲାଭ କରିଥିଲେ। ତେବେ ୨୦୧୭ ମସିହାରୁ ହିଁ ଅମିତ ରୋହିଦାସ ଭାରତୀୟ ହକି ଦଳର ନିୟମିତ ସଦସ୍ୟ ଭାବେ ପ୍ରତ୍ୟେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆସୁଛନ୍ତି।

ବର୍ତ୍ତମାନ ଓ ଭବିଷ୍ୟତର ତାରକା

ଅର୍ଜୁନ ପୁରସ୍କାର ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଥିବା ଅମିତ ରୋହିଦାସ ବର୍ତ୍ତମାନ ସମୟରେ ଦେଶର ଜଣେ ପ୍ରମୁଖ ହକି ତାରକା ଏଥିରେ ସନ୍ଦେହ ନାହିଁ। ଏତଦ ବ୍ୟତୀତ ତାଙ୍କୁ ଭବିଷ୍ୟତର ତାରକା ଭାବେ ମଧ୍ୟ ଦେଖାଯାଉଛି। ନିଜର ଅନନ୍ୟ ପ୍ରତିଭା ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିବା ଏହି ତାରକା ଜଣକ ଏଇ ନିକଟରେ କେତୋଟି ମ୍ୟାଚ ପାଇଁ ଭାରତୀୟ ହକି ଦଳର ଅଧିନାୟକ ଦାୟିତ୍ୱ ବହନ କରିଛନ୍ତି।

ଏବେ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯାଉଥିବା ପଞ୍ଚଦଶତମ ପୁରୁଷ ହକି ବିଶ୍ୱକପରେ ଉପ ଅଧିନାୟକ ରହିଛନ୍ତି ଅମିତ ରୋହିଦାସ। ୨୦୧୮ ମସିହାରେ ଆୟୋଜିତ ଗତ ବିଶ୍ୱକପରେ ଭାରତ ଉନ୍ନତ ପ୍ରଦର୍ଶନ କରିବା ସତ୍ତ୍ୱେ କ୍ୱାର୍ଟର ଫାଇନାଲରେ ପରାଜିତ ହୋଇଯାଇଥିଲା। ସେହି ଦୃଷ୍ଟିରୁ ଏଥର ପ୍ରଦର୍ଶନରେ ଆହୁରି ଅଧିକ ସୁଧାର ଆଣି ପଦକ ହାସଲ କରିବା ଭାରତୀୟ ଦଳ ପାଇଁ ଏକ ଆହ୍ୱାନ ନିଶ୍ଚୟ। ଏଥିପାଇଁ ଅମିତ ରୋହିଦାସଙ୍କୁ ମଧ୍ୟ ରକ୍ଷଣ ଭାଗରେ ଅଧିକ ସତର୍କ ରହିବାକୁ ପଡ଼ିବ।

Tags: #AmitRohidas #Hockey #OdishaSports #OdiaHockeyPlayer #Sundargarh #HockeyIndia

Comment