ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଲାଗି ପାଗ ଭିଡ଼ୁଛି ବିଜେପି। ନିର୍ବାଚନ ବୈତରଣୀ ପାର ହେବା ଲାଗି ଦଳର ବଡ଼ ଆସ୍ଥା ପାଲଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

ଆଗାମୀ ସାଧାରଣ ନିର୍ବାଚନ ଲାଗି ବିଜେପି ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି। ଏହାରି ମଧ୍ୟରେ ମଙ୍ଗଳବାର ଦିନ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବସିଥିବାବେଳେ ଜଗତ ପ୍ରସାଦ (ଜେପି) ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ନଡ୍ଡାଙ୍କ ନେତୃତ୍ଵରେ ଦଳ ୨୦୨୪ ନିର୍ବାଚନ ଲଢ଼ି ସଫଳ ହେବା ଲାଗି ଆଶା ରଖିଛି।

ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଆଉ ଦେଢ଼ ବର୍ଷକୁ ବୃଦ୍ଧି କରାଯାଇଛି। ୨୦୨୪ ଜୁନ ମାସ ପର୍ଯ୍ୟନ୍ତ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ଵରେ ରହିବେ।

୨୦୧୯ ମସିହାରୁ ନଡ୍ଡା ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ଵରେ ରହିଛନ୍ତି। ଜେପି ନଡ୍ଡାଙ୍କ ନେତୃତ୍ଵରେ ଦଳ ଆଗାମୀ ନିର୍ବାଚନ ଲଢ଼ିବ ବୋଲି ବିଜେପି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହ ସୂଚନା ଦେଇଛନ୍ତି।

ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ପଛରେ ୫ଟି କାରଣ ରହିଥିବା କୁହାଯାଉଛି। ସେଗୁଡ଼ିକ ହେଲା ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରସ୍ତୁତ ପାଇଁ ନୂଆ ଅଧ୍ୟକ୍ଷଙ୍କୁ କମ ସମୟ ମିଳିଥାନ୍ତା। ନୂଆ ଅଧ୍ୟକ୍ଷଙ୍କୁ ସଂଗଠନ ରିଷ୍ଟ୍ରକଚର କରିବା ପାଇଁ ୪ରୁ ୫ ମାସ ସମୟ ଲାଗିବ। ବର୍ତ୍ତମାନ ସମୟରେ ଏକ ମାତ୍ର ବିକଳ୍ପ ହେଉଛନ୍ତି ନଡ୍ଡା। ବିଜେପି ସଂଗଠନକୁ ନେଇ ନଡ୍ଡାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ତେଣୁ ୨୦୨୪ରେ ବିଜେପି ନଡ୍ଡାଙ୍କ ନେତୃତ୍ଵରେ ବିପୁଳ ବିଜୟ ହାସଲ କରିବ ବୋଲି ଆଶା ରଖିଛି ଦଳ।

Tags: #Politics #IndianPolitics #JPNadda #BJP #Election

Comment