ଓଡ଼ିଶାଲାଇଭ୍ ବ୍ୟୁରୋ

(ରାଉରକେଲା): ହକି ବିଶ୍ୱକପ୍ ଅବସରରେ ରାଉରକେଲା ସହରରେ ଆୟୋଜନ କରାଯାଇଛି ‘ସରସ ମେଳା’। ରବିବାରଠାରୁ ଭଞ୍ଜ ଭବନ ପଡ଼ିଆଠାରେ ଚାଲିଥିବା ଏହି ମେଳା ମଙ୍ଗଳବାର ତୃତୀୟ ଦିନରେ ପହଞ୍ଚିଛି। ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକେ ବିଭୋର ହେଉଛନ୍ତି।

ସରସ ମେଳା ତୃତୀୟ ସନ୍ଧ୍ୟାରେ ରାଜସ୍ଥାନରୁ ଆସିଥିବା କଳାକାରମାନେ ପାରମ୍ପରିକ ଭବାଇ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଗଞ୍ଜାମ ଜିଲ୍ଲାର ଯୋଡ଼ି ଶଙ୍ଖ ରଣପା, ପୁରୀର ମାଲଖମ, କନ୍ଧମାଳର କୁଇ ନୃତ୍ୟ ଏବଂ ସ୍ଥାନୀୟ ଭଞ୍ଜ କଳା କେନ୍ଦ୍ରର କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଓଡ଼ିଶୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ ଯୋଗଦେଇ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ରାଉରକେଲା ସହରରେ ପ୍ରଥମ ଥର ପାଇଁ ସରସ ମେଳା ଆୟୋଜନ କରାଯାଇଛି। ତେଣୁ ସନ୍ଧ୍ୟା ହେଲେ ମେଳା ପରିସରରେ ଲୋକଙ୍କ ଭିଡ଼ ଜମୁଛି। ଜମ୍ମୁ କଶ୍ମୀରର ପସମୀନା ସାଲ, ଆସାମର ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ, ଉତ୍ତରପ୍ରଦେଶର କାରପେଟ, ବ୍ରହ୍ମପୁର ଆଚାର ପ୍ରତି ଲୋକଙ୍କର ବେଶ୍ ଚାହିଦା ରହିଛି। ଫୁଡ କୋର୍ଟରେ ବାରିପଦାର ମୁଢ଼ି ମାଂସ ସହିତ ରାଜସ୍ଥାନ କଚୁଡ଼ି, ମହାରାଷ୍ଟ୍ରରୁ ଆସିଥିବା ବିଭିନ୍ନ ଖାଦ୍ୟ ଲୋକଙ୍କୁ ଆକର୍ଷିତ କରୁଛି।

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ମେଳା ଆୟୋଜନ କରାଯାଇଛି। ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀମାନେ ସାମିଲ ହୋଇଛନ୍ତି। ସେମାନେ ଏଠାରେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ସହ ବିକ୍ରି କରୁଛନ୍ତି। ଚଳିତ ସରସ ମେଳାରେ ମୋଟ ୨୫୦ଟି ଷ୍ଟଲ ପଡ଼ିଛି। ଏହା ଜାନୁଆରି ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭୁବନେଶ୍ୱର ସହିତ ରାଉରକେଲାରେ ହକି ବିଶ୍ଵକପର ବିଭିନ୍ନ ମ୍ୟାଚ ଖେଳାଯାଉଛି। ସରସ ମେଳା ବୁଲିବାକୁ ଆସୁଥିବା ଲୋକମାନଙ୍କୁ ହକି ବିଶ୍ୱକପର ସିଧାପ୍ରସାରଣ ଦେଖାଇବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ମେଳା ପରିସରରେ ସେଲଫି ପଏଣ୍ଟ ଏବଂ ପିଲାମାନଙ୍କ ପାଇଁ ହକି ପାଭିଲିୟନ କରାଯାଇଛି। ଏହି ହକି ପାଭିଲିୟନରେ କୁନି କୁନି ପିଲାମାନେ ହକି ଖେଳୁଥିବା ଦେଖିବାକୁ ମିଳୁଛି।

Tags: #Sundargarh #Rourkela #SarasMela #CulturalProgram #MusicAndDance

LEAVE A REPLY

Please enter your comment!
Please enter your name here