ଓଡ଼ିଶାଲାଇଭ୍ ବ୍ୟୁରୋ

ତିନିଟି ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଲାଗି ବୁଧବାର ଦିନ କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ଫେବ୍ରୁଆରି ୧୬ ତାରିଖରେ ତ୍ରିପୁରାରେ ଏବଂ ୨୭ ତାରିଖରେ ମେଘାଳୟ ଓ ନାଗାଲାଣ୍ଡରେ ନିର୍ବାଚନ ହେବ। ମାର୍ଚ୍ଚ ୨ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ଫେବ୍ରୁଆରି ୧୬ରେ ତ୍ରିପୁରାରେ ବିଧାନସଭା ନିର୍ବାଚନ

ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ତ୍ରିପୁରାରେ ବିଧାନସଭା କାର୍ଯ୍ୟକାଳୟ ଶେଷ ହେବାକୁ ଥିବାରୁ ଆଗାମୀ ନିର୍ବାଚନ ଲାଗି ଆଜି ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର। ଫେବ୍ରୁଆରି ୧୬ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହିଁ ତ୍ରିପୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଲାଗି ଆସନ୍ତା ୨୧ ତାରିଖରେ ବିଜ୍ଞପ୍ତି ଜାରି କରାଯିବ। ଜାନୁଆରି ୩୦ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିବ।

ତ୍ରିପୁରାରେ ମୋଟ ୬୦ଟି ବିଧାନସଭା ଆସନ ରହିଥିବାବେଳେ ଅନୁସୂଚିତ ଜନଜାତି ପାଇଁ ୨୦ଟି ଏବଂ ଅନୁସୂଚିତ ଜାତି ବର୍ଗ ପାଇଁ ୧୦ ଆସନ ସଂରକ୍ଷିତ ରହିଛି। ବର୍ତ୍ତମାନ ତ୍ରିପୁରାରେ ବିଜେପି ସରକାରରେ ରହିଛି।

ମେଘାଳୟରେ ୬୦ ଆସନ ଲାଗି ହେବ ନିର୍ବାଚନ

ମେଘାଳୟରେ ଆସନ୍ତା ମାର୍ଚ୍ଚ ୧୫କୁ ବିଧାନସଭା କାର୍ଯ୍ୟକାଳ ଶେଷ ହେବ। ତେଣୁ ଆସନ୍ତା ଫେବ୍ରୁଆରି ୨୭ ତାରିଖରେ ମେଘାଳୟ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ମୋଟ ୬୦ଟି ବିଧାନସଭା ଆସନ ଲାଗି ନିର୍ବାଚନ ହେବ। ଗୋଟିଏ ପର୍ଯ୍ୟାୟରେ ହିଁ ମତଦାନ ଶେଷ ହେବ। ମାର୍ଚ୍ଚ ୨ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ଫେବ୍ରୁଆରି ୨୭ରେ ହେବ ନାଗାଲାଣ୍ଡ ନିର୍ବାଚନ

ଆସନ୍ତା ଫେବ୍ରୁଆରି ୨୭ ତାରିଖରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇ ମାର୍ଚ୍ଚ ୨ ତାରିଖରେ ଫଳାଫଳ ଘୋଷଣା କରାଯିବ। ଏଠାରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବ।

ଏଥିଲାଗି ଆସନ୍ତା ୩୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଫେବ୍ରୁଆରି ୭ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଥିବାବେଳେ ଫେବ୍ରୁଆରି ୮ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଫେବ୍ରୁଆରି ୧୦ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ମାର୍ଚ୍ଚ ୨ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

Tags: #Politics #IndianPolitics #Election #AssemblyElection #Nagaland #Tripura #Meghalaya

Comment