ଓଡ଼ିଶାଲାଇଭ୍ ବ୍ୟୁରୋ

(ନାଚୁଣୀ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଗୋଟିଏ ସୁଟକେସ ଭିତରୁ ରବିବାର ଦିନ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଥିଲା ପୋଲିସ। ଏହି ଘଟଣାରେ ସୋମବାର ଦିନ ପୋଲିସ ୩ ଜଣଙ୍କୁ ଗିରଫ କରିଛି।

ହରିପୁର ଜଙ୍ଗଲ ମଧ୍ୟରେ ଗୋଟିଏ ନୂଆ ସଫାରି ସୁଟକେସଟିଏ ପଡ଼ିଥିବା କିଛି ସ୍ଥାନୀୟ ଲୋକ ଦେଖିଥିଲେ। ଜଙ୍ଗଲ ଭିତରେ ନୂଆ ସୁଟକେସଟିକୁ ଦେଖି ଲୋକଙ୍କର ସନ୍ଦେହ ହେବାରୁ ସେମାନେ ନାଚୁଣୀ ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେସଟିକୁ ଖୋଲିବା ପରେ ସେଥିରୁ ଜଣେ ଯୁବକଙ୍କର ମୃତଦେହ ଦେଖିବାକୁ ପାଇଥିଲା। ମୃତ ଯୁବକ ରଣପୁର ଥାନା ବଳଭଦ୍ରପୁର ପଞ୍ଚାୟତର ଲାଖପଡ଼ା ଗାଁର ମନୋରଞ୍ଜନ ମହାପାତ୍ର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।

“ମୋ ସ୍ଵାମୀଙ୍କର ବହୁତ ଶତ୍ରୁ ଅଛନ୍ତି”

ହରିପୁର ଜଙ୍ଗଲରୁ ସୁଟକେସରୁ ମିଳିଥିବା ଶବ ଚିହ୍ନଟ ହେବା ପରେ ପୋଲିସ ମୃତ ମନୋରଞ୍ଜନଙ୍କ ପତ୍ନୀ ମିଲି ମହାପାତ୍ରଙ୍କୁ ପଚରାଉଚରା କରିବାକୁ ପହଞ୍ଚି ଥିଲେ। ମନୋରଞ୍ଜନ ସୋସିଆଲ ମିଡିଆରେ ଅନେକ ଲୋକଙ୍କ ବିରୋଧରେ ବିଭିନ୍ନ ସମୟରେ ଲେଖା ପୋଷ୍ଟ କରୁଥିବାରୁ ତାଙ୍କର ଅନେକ ଶତ୍ରୁ ରହିଥିଲେ। ସେମାନଙ୍କ ମଧ୍ୟରୁ କେହି ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ରବିବାର ଦିନ ଅଭିଯୋଗ କରିଥିଲେ ମୃତକଙ୍କ ପତ୍ନୀ।

ସୁଟକେସ ଖୋଲିଲା ମୃତ୍ୟୁ ରହସ୍ୟ

ସୁଟକେସ ଭିତରୁ ମୃତଦେହ ମିଳିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିବାବେଳେ ସମ୍ପୃକ୍ତ ସୁଟକେସଟି ମୃତ୍ୟୁ ରହସ୍ୟ ଖୋଲିଥିବା କୁହାଯାଉଛି। ଟାଙ୍ଗୀ ଥାନା ଅଧିକାରୀଙ୍କ ନେତୃତ୍ଵରେ ଗଠିତ ଟିମ ତଦନ୍ତ ଆରମ୍ଭ କରିବା ସହ ନୂଆ ସୁଟକେସଟି କେଉଁଠୁ କିଣା ଯାଇଛି ତା’ର ଖିଆ ଖୋଜିବାକୁ ଲାଗି ପଡ଼ିଥିଲେ। ଏହା ପରେ ଗାଙ୍ଗୀର ଏକ ଦୋକାନକୁ ଠାବ କରାଯାଇ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ଏହା ପରେ ସୁଟକେସ ସମ୍ପର୍କରେ ଜଣାପଡ଼ିଥିଲା ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ।

ଏହି ଘଟଣାରେ ଆଜି ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମୃତ ମନୋରଞ୍ଜନଙ୍କ ପତ୍ନୀ ଏବଂ ତାଙ୍କର ଦୁଇଜଣ ସମ୍ପର୍କୀୟ ଭାଇ।

ପ୍ରତିଶୋଧରୁ ହତ୍ୟା – ଏସପି

ମନୋରଞ୍ଜନଙ୍କ ମୃତ୍ୟୁ ଉପରୁ ପରଦା ହଟାଇବାକୁ ଦୟିତ୍ଵ ନେଇଥିଲେ ଖୋଦ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ। ପ୍ରତିଶୋଧ ଯୋଗୁଁ ମନୋରଞ୍ଜନଙ୍କର ହତ୍ୟା କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ସୂଚନା ଦେଇଛନ୍ତି ଏସପି। ସେ କହିଛନ୍ତି ଯେ, ମନୋରଞ୍ଜନ ମଦ ପିଇ ନିଜ ପତ୍ନୀଙ୍କୁ ମାଡ଼ ମାରୁଥିଲେ। ଦୀର୍ଘ ବର୍ଷ ଧରି ଏହା ଚାଲି ଆସୁଥିଲା। ଏଥିରେ ଅତିଷ୍ଠ ହୋଇ ତାଙ୍କ ପତ୍ନୀ ଏବଂ ତାଙ୍କର ଦୁଇ ଜଣ ସହଯୋଗୀ ମନୋରଞ୍ଜନଙ୍କୁ ହତ୍ୟା କରିଥାଇପାରନ୍ତି।

ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିଛି। ତେବେ କେବଳ ପ୍ରତିଶୋଧ ପାଇଁ ନା ଅନ୍ୟ କୌଣସି କାରଣକୁ ନେଇ ମନୋରଞ୍ଜନଙ୍କୁ ହତ୍ୟା କରାଯାଇଛି ସେ ନେଇ ପୋଲିସର ତଦନ୍ତ ଚାଲିଛି।

Tags: #Death #Murder #DeadBody #BodyinSuitcase #Khordha #Nachuni

LEAVE A REPLY

Please enter your comment!
Please enter your name here