ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ପ୍ରତିକ୍ଷିତ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନର ଶୁଭାରମ୍ଭ ହୋଇଯାଇଛି। ବୁଧବାର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପତାକା ଦେଖାଇ ଏହି ଟ୍ରେନର ପ୍ରଥମ ଯାତ୍ରାର ଉଦଘାଟନ କରିଛନ୍ତି। ଏଥିଲାଗି ନୂଆଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ୫୨୮ ଜଣ ଯାତ୍ରୀଙ୍କୁ ନେଇ ଟ୍ରେନଟି ନିଜର ପ୍ରଥମ ଯାତ୍ରାରେ ବାହାରିଛି।

ରେଳ ବିଭାଗର ଭାରତ ଗୌରବ ଯୋଜନାରେ ଜଗନ୍ନାଥ ଯାତ୍ରା ଟ୍ରେନର ଆରମ୍ଭ ହୋଇଛି। ଏହି ଟ୍ରେନରେ ପର୍ଯ୍ୟଟକମାନେ ୮ ଦିନର ଯାତ୍ରା ମଧ୍ୟରେ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡର ଲୋକପ୍ରିୟ ଅଧ୍ୟାତ୍ମିକସ୍ଥଳୀର ଦର୍ଶନ କରିବେ। ଗାଜିଆବାଦ, ଆଲିଗଡ, ଟୁଣ୍ଡଲା, ଇଟାୱା, କାନପୁର ଏବଂ ଲକ୍ଷ୍ନୌ ରେଳ ଷ୍ଟେସନରେ ପର୍ଯ୍ୟଟକମାନେ ଟ୍ରେନରେ ଚଢିପାରିବେ।  ଏହି ଟ୍ରେନରେ ସମୁଦାୟ ୧୦ଟି ଏସି-୩ ଟାୟାର କୋଚ୍ ଅଛି।

“ଏହି ଟ୍ରେନ ମହାପ୍ରଭୁଙ୍କ ଆଶୀର୍ବାଦ ଅଟେ କାରଣ ଆଜିର ଦିନରେ ଯେବେ ମହାପ୍ରଭୁ ପଦ୍ମ ବେଶ ଧରଣ କରିବେ,ସେହି ଦିନ ଟ୍ରେନ  ଉଦ୍‌ଘାଟନୀ ଯାତ୍ରା ଆରମ୍ଭ କରୁଛି ଭାରତ ଗୌରବ ଯୋଜନରେ ରେଳ ବିଭାଗ ଏହିଭଳି ଅଧ୍ୟତ୍ମିକ ପର୍ଯ୍ୟଟନ ଟ୍ରେନ ସେବା ଯୋଗାଇବାକୁ ବ୍ୟବସ୍ଥା କରୁଛି। ଏହାର ଉଦ୍ଦେଶ୍ୟ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଐତିହାସିକ ସ୍ଥାନଗୁଡିକରେ ଲୋକଙ୍କୁ ପ୍ରଦର୍ଶନ କରିବା”, କହିଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

ଶ୍ରୀ ଜଗନ୍ନାଥ ଯାତ୍ରା ଟ୍ରେନ ପ୍ରଥମେ ବାରାଣାସୀରେ ରହିବ। ଏଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିବେ ଏବଂ ଗଙ୍ଗା କୂଳରେ ଆଳତୀ ଦେଖିବେ। ଏହା ପରେ ଟ୍ରେନ୍ ଝାଡଖଣ୍ଡର ଜସିଡିହ ଷ୍ଟେସନରେ ଅଟକି ରହିବ, ଯେଉଁଠାରୁ ପର୍ଯ୍ୟଟକମାନେ ବୈଦ୍ୟନାଥ ଧାମ ମନ୍ଦିରକୁ ଯିବେ।

ବୈଦ୍ୟନାଥ ଧାମ ପରେ ଟ୍ରେନ ପୁରୀ ଆସିବ। ପର୍ଯ୍ୟଟକମାନେ ଦୁଇ ରାତି ଓଡିଶାରେ ରହିବେ। ଏଠାରେ ଜଗନ୍ନାଥ ମନ୍ଦିର, କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ୱରର ପ୍ରସିଦ୍ଧ ମନ୍ଦିରମାନ ପରିଦର୍ଶନ କରିବେ। ପୁରୀରୁ ଦିଲ୍ଲୀ ଫେରିବା ବେଳେ ଟ୍ରେନ ଗୟାରେ ରହିବ। ଯେଉଁଠାରେ ପର୍ଯ୍ୟଟକମାନେ ବିଷ୍ଣୁପଦ ମନ୍ଦିର ପରିଦର୍ଶନ କରିବ। ଏହାପରେ ଫେବୃଆରୀ ୧ ତାରିଖରେ ପ୍ରାୟ ୪୦୦୦  କିଲୋମିଟରର ଯାତ୍ରା ଶେଷ କରି ଟ୍ରେନ ଅଷ୍ଟମ ଦିନରେ ଦିଲ୍ଲୀରେ ପହଞ୍ଚିବ।

ଆଇଆରସିଟିସି ଏହି ଟ୍ରେନର ପରିଚାଳନା କରୁଛି। ଟ୍ରେନରେ ଯାତ୍ରୀମାନଙ୍କୁ ଶୁଦ୍ଧ ନିରାମିଷ ଭୋଜନ ଯୋଗାଇ ଦିଆଯିବ। ଆଠ ଦିନିଆ ଯାତ୍ରା ପାଇଁ ଜଣେ ବ୍ୟକ୍ତିଙ୍କ ପିଛା ଟିକେଟର ପ୍ରାରମ୍ଭିକ ମୂଲ୍ୟ ୧୭୬୫୫ ଟଙ୍କା ରଖାଯାଇଛି।

Tags: #SriJagannathYatraTrain #RailwayMinister #FirstJourney #Flagoff #AshwiniVaishnaw #NewDelhi #Puri

Comment